Bolagarh Murder: ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! ଯୁବକଙ୍କ ଗୋଡ଼ କଟା, କୂଅ ହୁଡ଼ାରୁ ମିଳିଲା ମୃତଦେହ
ଖୋର୍ଦ୍ଧା ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ। କେଦାରନାଥ ପଶ୍ଚିମକବାଟ ଓରଫ ବଗୁଲାଙ୍କ ମୃତଦେହ ଘର ପଛ କୂଅ ହୁଡ଼ାରୁ ଉଦ୍ଧାର। ଘଟଣାସ୍ଥଳରୁ କଟର ମେସିନ୍ ଜବତ, ଜଣେ ଅଟକ ଥିବା ସୂଚନା।
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଏକ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ। ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ଗୋଡ଼ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ବୋଲଗଡ଼ ଗଡ଼ଭିତର ସାହିର କେଦାରନାଥ ପଶ୍ଚିମକବାଟ ଓରଫ ବଗୁଲା। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ କେଦାରନାଥ ଘର ନିକଟସ୍ଥ ହନୁମାନ ମନ୍ଦିର ପାଖରେ ବସିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘର ପଛପଟେ ଥିବା କୂଅ ହୁଡ଼ା ନିକଟରେ ମୃତଦେହ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଏକ ଇଲେକ୍ଟ୍ରିକ୍ କଟର ମେସିନ୍, ଦୁଇଟି ଆଶାବାଡ଼ି ଏବଂ ପଲିଥିନ୍ରେ ଗୁଡ଼ା ହୋଇଥିବା ମୃତକଙ୍କ ଗୋଟିଏ ଗୋଡ଼ ପଡ଼ିଥିବା ଜଣାପଡ଼ିଛି। ଅନ୍ୟପଟେ, ଘଟଣା ପରେ ମୃତଦେହ ନିଜ ଘର ପଛପଟ କୂଅ ହୁଡ଼ା ନିକଟରେ ରାତିସାରା ପଡ଼ି ରହିଥିବା ସୂଚନା ମିଳିଛି। କିଏ ଏବଂ କାହିଁକି ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟାଇଲା, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି। ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତକୁ ଆଗକୁ ବଢ଼ାଇବା ନେଇ ସୂଚନା ରହିଛି। ଏହି ଘଟଣାକୁ ନେଇ ସମଗ୍ର ବୋଲଗଡ଼ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
