କଲ୍ୟାଣସିଂପୁର ବର୍ବରତା- କୁଆଡ଼େ ଗଲା ଏନଜିଓର ନୈତିକତା?
ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏଭଳି ବର୍ବରତାର ଚିତ୍ର ସାମ୍ନାକୁ ଆସିବା ପରେ ସବୁଠି ହଇଚଇ। ନିଜ ଆଡୁ ସଂପୃକ୍ତ ଏନଜିଓର କର୍ତ୍ତୃପକ୍ଷ ଆଜି ଯାଏ ମୁହଁରୁ ପଦୁଟିଏ ନ କହିବାର କାରଣ କଅଣ। ସଂସ୍ଥାର ବଦନାମି ଭୟରେ ବର୍ବରତାର କାହାଣୀ କଅଣ ଗୌଣ ହୋଇଯିବ କି। କେବଳ କଠୋର ନିନ୍ଦନୀୟ ବୋଲି ପଦେ କହି ନିଜର ଦାୟିତ୍ୱ ସାରିଦେଲେ ଚଳିବ କି।

ରାୟଗଡ଼ା କଲ୍ୟାଣସିଂପୁର ଇନ୍ତାଲିଗୁଡ଼ାରେ ବିବସ୍ତ୍ର କରି ଭିଡ଼ହିଂସା ଘଟଣା ଓଡ଼ିଶାକୁ ଲଜ୍ଜିତ କରିଛି। ଏ ଘଟଣାରେ ୨୪ରୁ ଉର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ ବୋଲି ବି କହିଛି ପୁଲିସ। ଏ ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରି ମାମଲାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚର ମହିଳା ବିରୋଧୀ ସେଲକୁ ଦାୟିତ୍ୱ ଦେଇଛନ୍ତି ଡିଜି ଓ୍ୱାଇ.ବି.ଖୁରାନିଆ। ଦରକାର ପଡ଼ିଲେ ପୀଡ଼ିତାଙ୍କୁ ପଚରାଉଚୁରା ପାଇଁ ଦିଲ୍ଲୀ ଯିବ ଟିମ୍। ସିଡବ୍ଲୁସି ଅତିରିକ୍ତ ଡିଜି ଏସ.ସାଇନି ଏହାର ତଦନ୍ତ କରୁଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ ୩ଟି କେସ୍ ହୋଇଥିଲା ବେଳେ ପୀଡ଼ିତାଙ୍କ ପକ୍ଷରୁ ଏଯାଏ ଅଭିଯୋଗ ହୋଇନି। ଭିଡ଼ିଓ ଫୁଟେଜ୍ ଓ ସାକ୍ଷୀଙ୍କ ବୟାନ ଆଧାରରେ ତଦନ୍ତ ଚାଲିଛି। ୧୬ ତାରିଖ ଦିନ ଭିଡ଼ ହିଂସାର ଶୀକାର ହୋଇଥିବା ଦୁଇ ଏନଜିଓ କର୍ମଚାରୀଙ୍କ ଜଘନ୍ୟ କାହାଣୀ ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଆକ୍ରମଣକାରୀଙ୍କ କବଳରୁ ଦିଲ୍ଲୀ ଯୁବତୀଙ୍କ ଜୀବନ ଓ ଇଜ୍ଜତ ରକ୍ଷା କରିଥିବା ଯୁବକ ବଳରାମ ବାଗଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। ଯଦି ବଳରାମ ଭିଡ଼ ଭିତରୁ ବିବସ୍ତ୍ର ଯୁବତୀଙ୍କୁ ଟାଣି ଆଣିନଥାଆନ୍ତେ ଓ ନିଜ ଟି-ସାର୍ଟ ଘୋଡ଼େଇ ଥାନା ଓ ଡାକ୍ତରଖାନାକୁ ନେଇନଥାଆନ୍ତେ। ତାହେଲେ କଅଣ ଯେ ହୋଇଥାଆନ୍ତା, ଭାବିଲେ ଲୋମଟାଙ୍କୁରି ଯାଉଛି। ଗିରଫଦାରି ଭୟରେ ଇନ୍ତାଲିଗୁଡ଼ା ଗାଁ ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି। ତେବେ କଥା ପଡ଼ିଛି। ଯେଉଁ ଏନଜିଓରେ କାମ କରୁଥିଲେ ଯୁବତୀ। ସେ ଏନଜିଓର ନୈତିକତା ଆଜି ଯାଏ କୁଆଡ଼େ ଗଲା। ସୂଚନା ଅନୁସାରେ ଯୁବତୀ ଜଣକ ଯେଉଁ ଏନଜିଓରେ ଇଣ୍ଟରନ ଭାବେ କାମ କରୁଥିଲେ, ତାହା ଥିଲା ଗ୍ରାମବିକାଶ ଏନଜିଓ। ହେଲେ ସେହି ଅନୁଷ୍ଠାନର ମୁଖ୍ୟ ଆଜି ଯାଏ କଅଣ କରୁଛନ୍ତି। ପୀଡ଼ିତାଙ୍କ ମାନସିକ ଅବସ୍ଥା କଅଣ ଯେ ଥିବା, ତାହା ଅନୁମାନ କରିବା ମୁସ୍କିଲ। ହଁ ପ୍ରମୁଖ ଗଣମାଧ୍ୟମକୁ ସଂପୃକ୍ତ ଏନଜିଓ ପକ୍ଷରୁ କେବଳ ଏତେ ଦିନ ପରେ ଅନୁରୋଧ ଆସିଥିଲା ଯେ, ଏଭଳି ଅତି ସମ୍ୱେଦନଶୀଳ ମାମଲାରେ ପୀଡ଼ିତାଙ୍କ ପରିଚୟକୁ ଗୋପନ ରଖାଯାଉ। ଏପରିକି ନାଁ, ପରିଚୟ ଓ ଠିକଣା ଗୋପନ ରଖିବା ବି ଗଣମାଧ୍ୟମର ଗୁରୁଦାୟିତ୍ୱ ଅଟେ। ଏହା ସହ ଏଭଳି ଭିଡ଼ିଓର ଯେଭଳି ଭାଇରାଲ ନହୁଏ, ସେଥିଲାଗି ସାଇବର ସେଲରେ ବି ଅଭିଯୋଗ କରିବୁ ବୋଲି କହିଥିଲେ ସଂପୃକ୍ତ ଏନଜିଓ। ଏକଥାରେ ସମସ୍ତେ ବି ସହମତ ହେବେ। କିନ୍ତୁ କଥା ପଡ଼ିଛି। ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏଭଳି ବର୍ବରତାର ଚିତ୍ର ସାମ୍ନାକୁ ଆସିବା ପରେ ସବୁଠି ହଇଚଇ। ନିଜ ଆଡୁ ସଂପୃକ୍ତ ଏନଜିଓର କର୍ତ୍ତୃପକ୍ଷ ଆଜି ଯାଏ ମୁହଁରୁ ପଦୁଟିଏ ନ କହିବାର କାରଣ କଅଣ। ସଂସ୍ଥାର ବଦନାମି ଭୟରେ ବର୍ବରତାର କାହାଣୀ କଅଣ ଗୌଣ ହୋଇଯିବ କି। କେବଳ କଠୋର ନିନ୍ଦନୀୟ ବୋଲି ପଦେ କହି ନିଜର ଦାୟିତ୍ୱ ସାରିଦେଲେ ଚଳିବ କି। ବିଡ଼ମ୍ୱନା ଯେ, ଏ ଘଟଣା ଓଡ଼ିଶାକୁ ପୁରା ଦେଶରେ ଲଜ୍ଜିତ କଲା। ଏ ଘଟଣାରେ ପ୍ରଭାବିତ ଯୁବତୀ ଓ ତାଙ୍କ ସହ ଥିବା ଯୁବକଙ୍କ ତ ଦୋଷ ମୂଳରୁ କିଛି ବି ନାହିଁ। ଭିଡ଼ ହିଂସାର ତଥାପି ଶୀକାର ହୋଇଗଲେ। ନିର୍ଦୋଷ ସତ୍ତ୍ୱେ ପିଲା ଚୋର ଗୁଜବରୁ ଅକାରଣରେ ଦଣ୍ଡ ପାଇଲେ। ଗ୍ରାମ ବିକାଶ ଏନଜିଓର ପ୍ରୋଫାଇଲ କିଛି ଛୋଟ ନୁହେଁ। କାରଣ ସମାଜର ଅବହେଳିତଙ୍କ ଲାଗି ନିରନ୍ତର କାମ କରି ଆସୁଛି ଏହି ଏନଜିଓ। ଗ୍ରାମାଞ୍ଚଳରେ ଗୁଣାତ୍ମକ ଜୀବନଶୈଳୀ ଓ ମର୍ଯ୍ୟାଦାର ସହ ବଞ୍ଚିବାର ରାହା କୁଆଡ଼େ ଦେଖାଏ ଗ୍ରାମବିକାଶ। କମ୍ୟୁନିଟିରେ ସଦ୍ଭାବନା, ବିକାଶକୁ ଗୁରୁମନ୍ତ୍ର କରିଆସୁଛି। ହେଲେ ସେହି କମ୍ୟୁନିଟି ହିଂସାରେ କଲ୍ୟାଣସିଂପୁରରେ ଯେତେବେଳେ କଲବଲ ହେଉଥିଲେ ଦୁଇଟି ପିଲା। ଏହି ସଂସ୍ଥାରେ କାମ କରିବା କଥା କହି ଘରୁ ଆସି ଭିଡ଼ ହିଂସା ଓ ବର୍ବରତାର ଶୀକାର ହୋଇଥିବା ଦୁଇଟି ପିଲାଙ୍କ ଲାଗି ସମର୍ଥନ ଓ ଏଭଳି ଘଟଣାରେ ପଲ୍ଲୀରୁ ନେଇ ଦିଲ୍ଲୀ ଯାଏ ପ୍ରତିବାଦର ସ୍ୱରକୁ କେତେ ଦୃଢ଼ କରିଛି ଏହି ଏନଜିଓ। କେତେ ସଶକ୍ତ ଭାବେ ଛିଡ଼ା ହୋଇ ସେ ଆମ ପିଲା ବୋଲି ଛାତିରେ ହାତ ରଖି କହିପାରୁଛି। ଆଦିବାସୀ ବହୁଳ ଏରିଆରେ ଅନେକ ପ୍ରୋଜେକ୍ଟ ହାତକୁ ନେଇଛି। ହେଲେ ଏଭଳି ଘଟଣାରେ କୁଆଡ଼େ ଗଲା ଉତ୍ତରଦାୟିତ୍ୱ। ପୀଡ଼ିତଙ୍କ ମର୍ଯ୍ୟାଦା ରକ୍ଷା କରିବା ସମସ୍ତଙ୍କ ଗୁରୁଦାୟିତ୍ୱ। ଓଡ଼ିଶା ସନ୍ଦର୍ଭରେ ସେମାନେ କଅଣ ଫିଡବ୍ୟାକ୍ ନେଇ ଗଲେ। ବ୍ରହ୍ମପୁରର ମହୁଡ଼ା ଗାଁରେ ଥିବା ଏହି ଏନଜିଓ କାହିଁକି ଚୁପ୍। କୁଆଡ଼େ ଗଲା ବିବେକ। ଦିଲ୍ଲୀରେ ବସିଥିବା କିଛି ଅଧିକାରୀ ଓଡ଼ିଶାର ଗତିବିଧିକୁ ନିୟନ୍ତ୍ରଣ କରୁଥିବା କଥା କୁହାଯାଉଛି। ହେଲେ ଓଡ଼ିଶାରେ କାମ କରୁଥିବା ଏହି ଏନଜିଓର ଯେଉଁମାନେ ଅଧିକାରୀ ଅଛନ୍ତି, ସେମାନଙ୍କ ପାଟି ବନ୍ଦ କରିବାକୁ କାହିଁକି ଅଘୋଷିତ ଫରମାନ ଜାରି ହୋଇଛି। କୁଆଡ଼େ ଗଲା ସେବା ଓ ସମର୍ପଣ ମନୋବୃତ୍ତି ଭିତରେ ଏଭଳି ଅତି ସମ୍ୱେଦନଶୀଳ ମାମଲାରେ ଏମାନଙ୍କ ନୈତିକତାର ମୂଲ୍ୟବୋଧ। କେତେଥର ଦୁଇ ପୀଡ଼ିତ ପିଲାଙ୍କ ପରିବାର ସହ କଥା ହୋଇଛନ୍ତି। ସେମାନଙ୍କ ମନୋବଳକୁ ବଢ଼ାଇବାରେ ସହାନୁଭୂତି ଓ ସହଯୋଗର ହାତ ବଢ଼ାଇଛନ୍ତି। ସମ୍ୱେଦନଶୀଳ ମାମଲାରେ କେତେ ଯତ୍ନବାନ ହେବା ଜରୁରୀ, ସମାଜକୁ ଶିକ୍ଷା ଓ ସନ୍ଦେଶ ଦେଉଥିବା ଏହି ଏନଜିଓର ଭୂମିକା ଆଜି କାହିଁକି ପ୍ରଶ୍ନବାଚୀରେ। ନକରାତ୍ମକ ଖବର ପରିବେଷଣ କରି କାହାର ଚରିତ୍ରକୁ ଆକ୍ଷେପ କରିବା କୌଣସି ବ୍ୟକ୍ତି, ସମାଜ କି ସୋସିଆଲ ମିଡିଆର କାମ ନୁହେଁ। ହେଲେ ନିଜର ବ୍ରାଣ୍ଡ୍ ନାଁ ଓ ଭାବମୂର୍ତ୍ତି କାଳେ ମଳିନ ପଡ଼ିଯିବ। ସେ ଭୟରେ ଅସମ୍ଭବ ନୀରବତା ଏମିତି କେଉଁ ଯଶ ବଢ଼ାଇଦେଉଛି। କହୁ କହୁ କାଳେ କିଛି ଏପଟସେପଟ ମୁହଁରୁ ବାହାରିଯିବ। ଏ ଚିନ୍ତା ଘାରିଛି କି।
