Global Trade:ହର୍ମୁଜ୍ରେ ଭାରତୀୟ ଜାହାଜକୁ ଇରାନର ଗ୍ରୀନ୍ ସିଗ୍ନାଲ୍
ହର୍ମୁଜ୍ ଜଳପଥରେ ଭାରତୀୟ ଜାହାଜ ଚଳାଚଳକୁ ନେଇ ଇରାନର ବଡ଼ ଘୋଷଣା। ଭାରତ ସମେତ ଚାରି ଦେଶକୁ କଟକଣାରୁ ଛାଡ଼ ଦେଇଥିବା କହିଛି ତେହେରାନ। ଏହା ଭାରତୀୟ ସାମୁଦ୍ରିକ ବାଣିଜ୍ୟକୁ ଆଶ୍ୱସ୍ତି ଦେଇପାରେ।
ଦୀପାବଳି ପୂର୍ବରୁ ଭାରତ ପାଇଁ ଇରାନରୁ ଆସିଛି ଏକ ବଡ଼ ଖବର। ହର୍ମୁଜ୍ ଜଳପଥ ଦେଇ ଜାହାଜ ଚଳାଚଳ ଉପରେ ଲାଗିଥିବା କଟକଣାରୁ ଭାରତ ସମେତ ଚାରିଟି ଦେଶକୁ ଛାଡ଼ ଦେଇଛି ଇରାନ। ଭାରତ, ଚୀନ୍, ଇରାକ୍ ଓ କତାରର ଜାହାଜ ଏହି ଜଳପଥ ଦେଇ ବିନା ବାଧାରେ ଯାତାୟାତ କରିପାରିବେ ବୋଲି ଇରାନର ଜଣେ ବରିଷ୍ଠ ସାଂସଦ କହିଛନ୍ତି। ଇରାନୀ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ଉପାଧ୍ୟକ୍ଷ ଅମିର ହୟାତ ମୋକଦ୍ଦମ ମଙ୍ଗଳବାର ‘ଇରାନିଆନ୍ ଷ୍ଟୁଡେଣ୍ଟସ୍ ନ୍ୟୁଜ୍ ଏଜେନ୍ସି’କୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଚାରି ଦେଶ ସହ ଇରାନର ପାରସ୍ପରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଦେଶଗୁଡ଼ିକର ଜାହାଜକୁ ଆମେରିକା ମଧ୍ୟ ଅଟକାଇପାରିବ ନାହିଁ ବୋଲି ସେ କହିଛନ୍ତି। ଏହି ନିଷ୍ପତ୍ତି ପଛରେ ଇରାନର ଔଷଧ ଆବଶ୍ୟକତା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ କଟକଣା ଓ ଯୁଦ୍ଧ ପରିସ୍ଥିତି ଯୋଗୁଁ ଇରାନକୁ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଆମଦାନି କରିବାରେ ସମସ୍ୟା ହେଉଛି। ଭାରତର ଔଷଧ ଉତ୍ପାଦନ କ୍ଷେତ୍ର ଶକ୍ତିଶାଳୀ ହୋଇଥିବାରୁ ଏହି ଛାଡ଼ ଦ୍ୱାରା ତେହେରାନକୁ ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ଆମଦାନି କରିବା ସହଜ ହୋଇପାରେ। ଅନ୍ୟପକ୍ଷରେ, ଚୀନ୍କୁ ଏହି ଛାଡ଼ ଦେବା ପଛରେ ରାଜନୈତିକ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟ ରହିଥିବା ମୋକଦ୍ଦମ କହିଛନ୍ତି। ବାଣିଜ୍ୟ ଓ ଶକ୍ତି କ୍ଷେତ୍ରରେ ଚୀନ୍ ଇରାନର ଏକ ପ୍ରମୁଖ ସହଯୋଗୀ। ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକର ଚାପ ମଧ୍ୟରେ ଚୀନ୍ର କୂଟନୈତିକ ସମର୍ଥନ ତେହେରାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଅନ୍ୟ ଦେଶର ଜାହାଜ ଉପରେ କଟକଣା ଜାରି ରହିଥିବା ସେ କହିଛନ୍ତି।
