Gandhi Jayanti:ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ତ୍ୟାଗ, ନୈତିକତା ଓ ଦେଶସେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଚିର ପ୍ରେରଣାର ଉତ୍ସ। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ଅହିଂସା ମାଧ୍ୟମରେ ବିଶ୍ୱକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିବା ସେ କହିଥିଲେ। ଗାନ୍ଧୀଜୀଙ୍କ ଆଦର୍ଶ ଅନୁଯାୟୀ ସ୍ୱଚ୍ଛତା, ସ୍ୱଦେଶୀ ଓ ସମାଜର ଶେଷ ଧାଡ଼ିର ଲୋକଙ୍କ ସେବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ‘ଆତ୍ମନିର୍ଭର ଭାରତ’ ମାଧ୍ୟମରେ ସ୍ୱଦେଶୀ ଚିନ୍ତାଧାରାକୁ ଆଗକୁ ନିଆଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଗରିବ ଓ ଅନ୍ତିମ ବ୍ୟକ୍ତିଙ୍କ ପାଖରେ ବିକାଶର ସୁଯୋଗ ପହଞ୍ଚାଇବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ସଚ୍ଚୋଟତା ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତାଙ୍କର ନିଃସ୍ୱାର୍ଥପର ଦେଶସେବା ଏବଂ ‘ଜୟ ଜବାନ, ଜୟ କିଷାନ’ ଆହ୍ୱାନ ଦେଶବାସୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର କରିଥିଲା ବୋଲି ସେ କହିଥିଲେ। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ଏବଂ ଶାସ୍ତ୍ରୀଜୀଙ୍କ କର୍ମନିଷ୍ଠା ଓ ଦେଶସେବାକୁ ଆଦର୍ଶ ଭାବେ ଗ୍ରହଣ କରି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ରାମଧୂନ’ ପରିବେଷଣ କରାଯାଇଥିଲା। ବିଧାନସଭା ପରିସରରେ ଆୟୋଜିତ ପ୍ରାର୍ଥନା ସଭାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।
