କଇଁଛ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ; ୩୧୧ କଇଁଛ ଜବତ, ୩ ଗିରଫ
ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ପୋଲିସ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ ୩୧୧ଟି କଇଁଛ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି

ମାଲକାନଗିରି: କଇଁଛ ଚୋରାଚାଲାଣ ବେଳେ ବନ ବିଭାଗର ବଡ଼ ଚଢ଼ାଉ । ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ପୋଲିସ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ ୩୧୧ଟି କଇଁଛ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଛକି ରହିଥିଲେ। ଆନ୍ଧ୍ରପ୍ରଦେଶରୁ ଆସୁଥିବା ଏକ ସନ୍ଦିଗ୍ଧ ବୋଲେରୋ ଗାଡ଼ିକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ବହୁ ପରିମାଣର କଇଁଛ ଠାବ କରାଯାଇଥିଲା। ଏହାପରେ ବନ ବିଭାଗ ଗାଡ଼ି ସହ କଇଁଛଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ୨୮୮ଟି ଜୀବିତ ଓ ୨୩ଟି ମୃତ କଇଁଛ ମିଳିଥିଲା। ମୋଟ ୩୧୧ଟି କଇଁଛ ଚୋରାଚାଲାଣ ହେଉଥିବା ବେଳେ ବନ ବିଭାଗର ହାତରେ ଧରାପଡ଼ିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ଦେବରପାଲ୍ଲୀ ଅଞ୍ଚଳର ସିଦଲା ରାଜ ରେଡି ଓ ଏନ୍. ଅମରନାଥ, ଏବଂ ମାଲକାନଗିରି ଜିଲ୍ଲାର ଏମପିଭି-୬୫ ଗ୍ରାମର ରବିନ ମିର୍ଦ୍ଧା। ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ଚୋରାଚାଲାଣ ରାକେଟ୍ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି। ବନ ବିଭାଗର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କୁ ଶୀଘ୍ର କୋର୍ଟ ଚାଲାଣ କରାଯିବ।

