ପ୍ରେମରେ ବ୍ରେକଅପରୁ କ୍ୟାବରେ ବିସ୍ଫୋରଣ!
କିଛି ଦିନ ପୂର୍ବରୁ ସେ ନଗେନ୍ଦ୍ରର ଫୋନ୍ ବ୍ଲକ୍ କରିଦେଇଥିଲେ। ରମ୍ୟା ଓ ନଗେନ୍ଦ୍ର ରିଲେସନସିପରେ ଥିଲେ। ହେଲେ ନଗେନ୍ଦ୍ରରୁ ଦୂରତା ବଢ଼ାଇବା ପରେ ବିବାଦ ବଢ଼ିଥିଲା। ରମ୍ୟାକୁ ନିଜର କରିବ ନଚେତ କାହାର ହେବାକୁ ଦେବନି ବୋଲି ପଣ କରିଥିଲା ନଗେନ୍ଦ୍ର।

ଏନଏଚରେ ଚଳନ୍ତା କ୍ୟାବ ବିସ୍ଫୋରଣ। ପ୍ରାରମ୍ଭରୁ ଏହା ଜାଣତରେ ବିସ୍ଫୋରକ ସାମଗ୍ରୀ ଦ୍ୱାରା ନଚେତ କୌଣସି ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରତୀୟମାନ ହେଉଥିଲା। ହେଲେ ଅସଲରେ ଥିଲା ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ଏକ ଅପରାଧିକ ଘଟଣା। କୌଣସି କ୍ରାଇମଥ୍ରିଲରରୁ ଅଧିକ ଭୟାବହ ଥିଲା ଏହି ଅପରାଧ। ବେଙ୍ଗାଲୁରୁ ନିକଟସ୍ଥ କର୍ଣ୍ଣାଟକର ତୁମକୁରୁ ଜିଲ୍ଲାର ଜୋଗିହାଲ୍ଲି ଅଞ୍ଚଳରେ ଜାତୀୟ ରାଜପଥ-୪୮ରେ ଚଳନ୍ତା କ୍ୟାବ୍ ଭିତରେ ଘଟିଥିବା ବିସ୍ଫୋରଣ ଘଟଣା ପଛର କାରଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି ୩୦ ବର୍ଷୀୟ ନଗେନ୍ଦ୍ର। ନଗେନ୍ଦ୍ର ବେଙ୍ଗାଲୁରୁରେ ରହୁଥିଲେ। ପୂର୍ବତନ ପ୍ରେମିକା ରମ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ରମ୍ୟା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ରମ୍ୟା ବେଙ୍ଗାଲୁରୁର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ କାମ କରୁଥିଲେ। କିଛି ଦିନ ପୂର୍ବରୁ ସେ ନଗେନ୍ଦ୍ରର ଫୋନ୍ ବ୍ଲକ୍ କରିଦେଇଥିଲେ। ରମ୍ୟା ଓ ନଗେନ୍ଦ୍ର ରିଲେସନସିପରେ ଥିଲେ। ହେଲେ ନଗେନ୍ଦ୍ରରୁ ଦୂରତା ବଢ଼ାଇବା ପରେ ବିବାଦ ବଢ଼ିଥିଲା। ରମ୍ୟାକୁ ନିଜର କରିବ ନଚେତ କାହାର ହେବାକୁ ଦେବନି ବୋଲି ପଣ କରିଥିଲା ନଗେନ୍ଦ୍ର। ସାଙ୍ଗରେ ଯିବାକୁ ରମ୍ୟା ମନା କରିବାରୁ ଏଥିରେ ରାଗି ରମ୍ୟାଙ୍କୁ ଏକ ଭଡ଼ା କ୍ୟାବରେ ଜବରଦସ୍ତି ଅପହରଣ କରିନେଇଥିଲା ନଗେନ୍ଦ୍ର। ବାଟରେ ଉଭୟଙ୍କ ଭିତରେ ବଚସା ବଢ଼ିଥିଲା। ଆଉ ଏଥିରେ ହିତାହିତ ଜ୍ଞାନ ଭୁଲି ରମ୍ୟାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ନଗେନ୍ଦ୍ର। ଆଉ କାର୍ ଚାଳକ ପ୍ରବୀଣ ସ୍ଥିତି ବିଗିଡ଼ିବା ଦେଖି ତୁରନ୍ତ ଗାଡ଼ିକୁ ରୋକିଦେବାକୁ ଭାବିଥିଲେ। ଯେମିତି ଦୁହେଁ ଗାଡ଼ିରୁ ବାହାରିପାରିବେ। ପ୍ରବୀଣଙ୍କ ସହାୟତାରେ ରମ୍ୟା ଚଳନ୍ତା ଗାଡ଼ିରୁ ବାହାରକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। ପ୍ରବୀଣ ଓ ରମ୍ୟା ବାହାରି ଆସିବାର କିଛି ମୂହୂର୍ତ୍ତ ପରେ ନଗେନ୍ଦ୍ର କ୍ୟାବ୍ ଭିତରେ ଲୁଚେଇ ନେଇ ଯାଇଥିବା ଦେଶୀ ବୋମା ବା କ୍ରୁଡ୍ ଏକ୍ସପ୍ଲୋସିଭ ବିସ୍ଫୋରଣ ହୋଇଥିଲା। ଭୟଙ୍କର ବିସ୍ଫୋରଣରେ କ୍ୟାବ୍ଟି ନିଆଁରେ ପୋଡ଼ି ଯାଇଥିଲା ଏବଂ ଘଟଣାସ୍ଥଳରେ ନଗେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଜୀଅନ୍ତା ଜଳିଯାଇଥିଲା ନଗେନ୍ଦ୍ର। ଏହି ଘଟଣାରେ ଆହତ ରମ୍ୟା ଓ କ୍ୟାବ୍ ଚାଳକ ପ୍ରବୀଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଘଟଣାସ୍ଥଳରୁ ପୋଲିସ ବିସ୍ଫୋରକର ଅବଶେଷ ସହ ଆଉ ଏକ ସନ୍ଦେହଜନକ ଦେଶୀ ବୋମା ଜବତ କରିଛି। ଫରେନସିକ୍ ଟିମ୍ ଏହାର ପରୀକ୍ଷା କରୁଛି। ନଗେନ୍ଦ୍ର କେଉଁଠାରୁ ବିସ୍ଫୋରକ ସଂଗ୍ରହ କରିଥିଲେ ଏବଂ ଏହା ନିଜେ ପ୍ରସ୍ତୁତ କରିଥିଲେ କି ଅନ୍ୟ କାହାର ସହଯୋଗ ଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣର ଆତଙ୍କବାଦୀ ସଂଗଠନ ସହ କୌଣସି ସମ୍ପର୍କ ମିଳିନାହିଁ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏକ ଅପରାଧିକ ଘଟଣାର ତଦନ୍ତ କରୁଛି ପୁଲିସ। ନଗେନ୍ଦ୍ର ନିଜ ସାଙ୍ଗରେ ବିସ୍ଫୋରକ ନେଇଥିବା ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ବିସ୍ଫୋରକ କେଉଁଠୁ ଆସିଥିଲା। କେମିିତି ବିସ୍ଫୋରଣ ହେଲା ଏ ସବୁ ଦିଗକୁ ତନାଘନା ଚାଲିଛି।
