Odisha Flood: ରାଜ୍ୟରେ ବନ୍ୟା ସ୍ଥିତି - ବଢୁଛି ସୁବର୍ଣ୍ଣରେଖା,ବୈତରଣୀ
ଗଭୀର ଅବପାତ ଓ ଲଗାଣ ବର୍ଷାରେ ଓଡ଼ିଶାର ୧୦ ଜିଲ୍ଲା ପ୍ରଭାବିତ । ୭୩,୦୮୫ ଜଣ ପ୍ରଭାବିତ ଓ ୪୦,୩୨୯ ଜଣ ସ୍ଥାନାନ୍ତର ହୋଇଥିବା ବେଳେ ବନ୍ୟା ସ୍ଥିତି ନେଇ ରେଭେନ୍ୟୁ ମନ୍ତ୍ରୀ ଦେଲେ ସୂଚନା ।
ଗଭୀର ଅବପାତ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ , ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ଓ ବନ୍ୟାର ପ୍ରଭାବ ପଡ଼ିଥିବା ବେଳେ ମୋଟ ୭୩,୦୮୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ୪୦,୩୨୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରେଭେନ୍ୟୁ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୮୦ଟି ବ୍ଲକ୍, ୩୨୫ଟି ଗ୍ରାମପଞ୍ଚାୟତ ଓ ୧,୦୭୧ଟି ଗାଁ ପ୍ରଭାବିତ ହୋଇଛି। ୧୬ଟି ଗାଁ ଜଳବନ୍ଦୀ ହୋଇଥିବା ବେଳେ ୭୨୧ଟି ଘର ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪,୪୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ମାନବ କିମ୍ବା ଗୃହପାଳିତ ପଶୁଙ୍କ ମୃତ୍ୟୁ ରିପୋର୍ଟ ହୋଇନାହିଁ। ଜିଲ୍ଲାୱାରୀ ଭାବେ ମୟୂରଭଞ୍ଜ ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ୨୦ଟି ବ୍ଲକ୍ର ୧୪୪ଟି ଗାଁର ୨୦,୪୭୫ ଜଣ ପ୍ରଭାବିତ ହୋଇଛନ୍ତି। ୧୬,୮୬୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୧୧ଟି ଗାଁ ଜଳବନ୍ଦୀ ହୋଇଛି। ସୂଚନା ମୁତାବକ ,ଜିଲ୍ଲାରେ ୨୪୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ଗଜପତିରେ ୧୯,୨୦୭ ଜଣ ପ୍ରଭାବିତ ଓ ୭,୬୫୬ ଜଣ ସ୍ଥାନାନ୍ତର ହୋଇଛନ୍ତି। ବାଲେଶ୍ୱରରେ ୧୪,୫୬୦ ଜଣ ପ୍ରଭାବିତ ହୋଇଥିବା ବେଳେ ୩,୭୭୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।ବିପନ୍ନ ଲୋକଙ୍କ ପାଇଁ ରାଜ୍ୟରେ ୩୯୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଏହି କ୍ୟାମ୍ପଗୁଡ଼ିକରେ ୪୦,୩୨୯ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ଚାଉଳ, ଚୁଡ଼ା, ଗୁଡ଼ ଓ ପଲିଥିନ୍ ସିଟ୍ ମଧ୍ୟ ବଣ୍ଟନ କରାଯାଇଛି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଥିବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ରହିଛି। ରାଜଘାଟଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ଏହା ୧୧.୭୦ ମିଟର ପର୍ଯ୍ୟନ୍ତ ବଢ଼ିପାରେ।ମହାନଦୀରେ ମଧ୍ୟ ଜଳପ୍ରବାହ ବୃଦ୍ଧି ଆଶଙ୍କା କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବେଳେ ସେପ୍ଟେମ୍ବର ୨୭ ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳିଠାରେ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ତେବେ ଇନ୍ଦ୍ରାବତୀ, ବାଲିମେଳା ଓ ଋଷିକୂଲ୍ୟା-ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଆସନ୍ତାକାଲିଠାରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିବା ନେଇ ଆକଳନ କରାଯାଉଛି।
