Years of Hard Work Burnt to Ashes : ନିଆଁ ନେଇଗଲା ଘର, ସମ୍ବଳ ଓ ଝିଅ ବାହାଘରର ସ୍ୱପ୍ନ
ଝିଅ ବାହାଘର ସ୍ୱପ୍ନକୁ ଛାରଖାର କଲା ନିଆଁ ! ୫ ବଖରା ଘର ସହ ଜଳିଗଲା ୨ ଲକ୍ଷ ଟଙ୍କା।
ହସଖୁସିରେ ଝିଅର ବାହାଘର କରିବା ପାଇଁ ଦିନରାତି କଷ୍ଟ କରି ସାଇତି ରଖିଥିଲେ ଦୁଇ ଲକ୍ଷ ଟଙ୍କା। ହେଲେ ,ଆଖି ପିଛୁଳାକେ ସବୁ ସ୍ୱପ୍ନ ନିଆଁରେ ଜଳି ପାଉଁଶ ହୋଇଗଲା। ମୁଣ୍ଡ ଗୁଞ୍ଜିବାକୁ ଆଉ ଘର ନାହିଁ କି ଝିଅ ବାହାଘର ପାଇଁ ସାଇତା ସମ୍ବଳ ନାହିଁ। ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ଏବେ ଅସହାୟ ହୋଇପଡ଼ିଛନ୍ତି ମଥୁରୀ ପାତ୍ରଙ୍କ ପରିବାର।
ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ନିଳୋକ ପଞ୍ଚାୟତର ଗୋହିରାପଦୀ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ମଥୁରୀ ପାତ୍ରଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଧାନ, ଚାଉଳ, ସମସ୍ତ ଆସବାବପତ୍ର ଏବଂ ଝିଅର ବିବାହ ପାଇଁ ବହୁ କଷ୍ଟରେ ସଞ୍ଚୟ କରି ରଖିଥିବା ନଗଦ ୨ ଲକ୍ଷ ଟଙ୍କା ମଧ୍ୟ ନିଆଁରେ ଭସ୍ମୀଭୂତ ହୋଇଯାଇଛି। ମୁହୂର୍ତ୍ତକ ମଧ୍ୟରେ ଉଜୁଡ଼ି ଯାଇଛି ପରିବାରର ବର୍ଷ ବର୍ଷର ପରିଶ୍ରମ ଓ ଅନେକ ସ୍ୱପ୍ନ।ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଆଗରପଡ଼ା ଓ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ଏବେ ପାଞ୍ଚ ବଖରା ଘର ହରାଇ ମଥୁରୀ ପାତ୍ରଙ୍କ ପରିବାର ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ମୁଣ୍ଡ ଉପରେ ଛାତ ନାହିଁ, ଘରେ ଖାଦ୍ୟଶସ୍ୟ ନାହିଁ, ଆଉ ଝିଅ ବିବାହ ପାଇଁ ସାଇତା ଟଙ୍କା ମଧ୍ୟ ନାହିଁ। ଏଭଳି ଦୁଃଖଦ ସମୟରେ ପରିବାରଟିକୁ ସହାୟତାର ହାତ ବଢ଼ାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।
