Diwali Turns Into Tragedy : ଆଲୋକର ପର୍ବରେ ଅନ୍ଧାର! ଅଗ୍ନିକାଣ୍ଡରେ ଚାଲିଗଲା ୭ ବର୍ଷର ନିରୀହ ଜୀବନ
ଦୀପାବଳିର ଖୁସିରେ ମାତମ! କଟକରେ ୧୦ରୁ ଅଧିକ ସ୍ଥାନରେ ଅଗ୍ନିକାଣ୍ଡ, ଭୟାବହ ନିଆଁରେ ଚାଲିଗଲା ୭ ବର୍ଷର ନିରୀହ ଶିଶୁର ଜୀବନ।
ଦୀପାବଳି ଉତ୍ସବ ପାଳନ ସମୟରେ କଟକ ସହରରେ ଅଗ୍ନିକାଣ୍ଡର ଅନେକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରେ ସହରର ୧୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଖବର ମିଳିଛି। କଟକର ତିନିଘରିଆ, ତଳ ତେଲେଙ୍ଗା ବଜାର, ରାଣୀହାଟ, ମଣିସାହୁ ଛକ ଓ ୪୨ ମୌଜା ଆଦି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା | ଖବର ପାଇ କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।ସବୁଠାରୁ ଦୁଃଖଦ ଘଟଣା ଘଟିଛି କଟକର ଦରଘା ବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ। ଆଜି ଭୋର ସମୟରେ ଏକ ଦୁଇ ମହଲା ବିଶିଷ୍ଟ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି। ସେହି ପରିବାରର ଅନ୍ୟ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ଘର ଭିତରେ ପଡ଼ିଥିବା ଭଙ୍ଗା ଏଲ୍ପିଜି ସିଲିଣ୍ଡର ଓ ପୋଡ଼ିଯାଇଥିବା ଆସବାବପତ୍ର ଏହି ଅଗ୍ନିକାଣ୍ଡର ଭୟାବହତାକୁ ସ୍ପଷ୍ଟ କରୁଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଓ ଟାଟା ପାୱାରର ବିଶେଷଜ୍ଞମାନେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। କ୍ଷୟକ୍ଷତିର ଆକଳନ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏନେଇ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
