Khunti Tragedy : ଗୋଟିଏ ଦୁର୍ଘଟଣା, ଛାରଖାର ପୂରା ପରିବାର
ଝାଡ଼ଖଣ୍ଡର ଖୁଣ୍ଟିରେ ଛାତିଥରା ସଡ଼କ ଦୁର୍ଘଟଣା ! ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ୩ ଜଣ ନିଷ୍ପାପ ଶିଶୁ ଓ ୩ ଜଣ ମହିଳା। ଗୋଟିଏ ପରିବାରର ହସଖୁସି ଉପରେ ମାଡ଼ିଗଲା ମୃତ୍ୟୁର ଟ୍ରକ୍ ! ଏହି ଦୁର୍ଘଟଣାର ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ୧୮ ଚକିଆ ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ୩ ଜଣ ଶିଶୁ ଓ ୩ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ କର୍ରା-ତୋର୍ପା ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଅଞ୍ଚଳ କର୍ରା ଥାନା ଅଧୀନରେ ଆସୁଛି। ଦୁର୍ଘଟଣା ପୂର୍ବରୁ ଜଣେ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘାସବୁଦା ମଧ୍ୟକୁ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବା ଓ ସାହାଯ୍ୟ କରିବା ପାଇଁ କିଛି ଲୋକ ସେଠାରେ ଏକାଠି ହୋଇଥିଲେ।
ଠିକ୍ ଏହି ସମୟରେ ଦ୍ରୁତଗତିରେ ଆସୁଥିବା ୧୮ ଚକିଆ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଭିଡ଼ ଉପରେ ମାଡ଼ିଯାଇଥିଲା |ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ କର୍ରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଟ୍ରକ୍ଟି ଅତ୍ୟଧିକ ବେଗରେ ଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି ତିନି ଜଣ ଶିଶୁଙ୍କ ମୃତ୍ୟୁ ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରିଛି।
ଅନ୍ୟପଟେ, ଏହି ଦୁଃଖଦ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ଗଭୀର ସମବେଦନା ଜଣାଇବା ସହ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବର୍ତ୍ତମାନ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
