Diwali firecracker accident : ଦୀପାବଳି ଖୁସିରେ ଲାଗିଲା ଗ୍ରହଣ! ବାଣ ନେଲା ଆଖିର ଆଲୋକ
ଦୀପାବଳିର ଖୁସିରେ ବାଣ ହେଲା କାଳ! ହାଇଦ୍ରାବାଦରେ ୩୨ ଜଣଙ୍କ ଆଖିରେ ଆଘାତ, ଛତରପୁରରେ ୩୫ ଜଣ ଆହତ। ପର୍ବର ଖୁସି ମଧ୍ୟରେ ଛାଇଗଲା ଦୁଃଖର ଛାୟା!

ଦୀପାବଳି ଉତ୍ସବ ପାଳନ ସମୟରେ ହାଇଦ୍ରାବାଦରେ ବାଣ ଫୁଟାଇବା ଯୋଗୁଁ ୩୨ ଜଣଙ୍କ ଆଖିରେ ଆଘାତ ଲାଗିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ମେହଦୀପଟନମ୍ସ୍ଥିତ ସରକାରୀ ସରୋଜିନୀ ଦେବୀ ଚକ୍ଷୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲର ଆରଏମଓ ଡାକ୍ତର ମହମ୍ମଦ ଇବ୍ରାହିମ୍ଙ୍କ ସୂଚନା ଅନୁଯାୟୀ, ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କର ଅସ୍ତ୍ରୋପଚାର କରାଯିବ | ଅନ୍ୟ ୨୬ ଜଣଙ୍କୁ ଔଷଧ ଦେଇ ଚିକିତ୍ସା ପରେ ଘରକୁ ପଠାଯାଇଛି ଏବଂ ପରବର୍ତ୍ତୀ ଚିକିତ୍ସା ପାଇଁ ପୁନର୍ବାର ହସ୍ପିଟାଲ ଆସିବାକୁ କୁହାଯାଇଛି।
ଡ଼ ଇବ୍ରାହିମ ପିଲାମାନଙ୍କୁ ସାବଧାନତା ସହ ଖାଲି ସ୍ଥାନରେ ବାଣ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି | ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଆଖିରେ ଆଘାତ ଲାଗିଲେ ତୁରନ୍ତ ପରିଷ୍କାର ପାଣିରେ ଆଖିକୁ ଧୋଇ ସହ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାକୁ ବିଶେଷକରି ଆଖି ଡାକ୍ତରଖାନାକୁ ଯିବା ଉଚିତ୍ |
AIMIM ନାମପଲ୍ଲୀର ବିଧାୟକ ମାଜୀଦ ହୁସେନ ହସ୍ପିଟାଲର ପରିଦର୍ଶନ କରି କହିଥିଲି ଯେ ଗତ ବର୍ଷ ଅପେକ୍ଷା ଏହି ବର୍ଷ ମାମଲାରେ ବୃଦ୍ଧି ପାଇଛି | ସେ ଚିନ୍ତା ପ୍ରକାଶ କଲେ ଯେ ଜଣେ ରୋଗୀଙ୍କ ଦୃଷ୍ଟିଶକ୍ତି ଫେରି ନ ପାରେ | ହୁସେନ କହିଛନ୍ତି ଯେ,ପାଖାପାଖି ଅଧା ପୀଡିତମାନେ ପଥଚାରୀ ଥିଲେ | ଯେଉଁମାନେ ବାଣରୁ ବାହାରିଥିବା ଆବର୍ଜନା ଓ ପଥର ଖଣ୍ଡ ବାଜିବା ଯୋଗୁଁ ଆହତ ହୋଇଥିଲେ | ଏଥିସହ ସେ ସାଧାରଣ ଲୋକଙ୍କୁ ସୁରକ୍ଷିତ ଭାବେ ଏବଂ ବଡ଼ମାନଙ୍କ ତତ୍ତ୍ୱାବଧାନରେ ଦୀପାବଳି ପାଳନ କରିବାକୁ ଅପିଲ୍ କରିଛନ୍ତି | ଏହି ସମୟରେ ମଧ୍ୟପ୍ରଦେଶର ଛତରପୁରରେ ମଧ୍ୟ ଦୀପାବଳି ଅବସରରେ ବାଣ ଫୁଟାଇବା ବେଳେ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ଶିଶୁମାନେ ମଧ୍ୟ ସାମିଲ ଅଛନ୍ତି | ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଛତରପୁର ହସ୍ପିଟାଲର ଡାକ୍ତର ରାଜେଶ ମିଶ୍ରଙ୍କ କହିବା ଅନୁଯାୟୀ, ଅସାବଧାନତା ଯୋଗୁଁ ପୋଡ଼ିଯିବାର ଅନେକ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣାଗୁଡ଼ିକ ପର୍ବପର୍ବାଣୀ ସମୟରେ ସୁରକ୍ଷା ଓ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଉଛି |
