ମଣ୍ଡି ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ
ନୂଆପଡା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଖୋଲାଯାଇଥିବା ଧାନ ମଣ୍ଡିଗୁଡ଼ିକରେ ଘୋର ଅବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ଅସନ୍ତୋଷ। ମଣ୍ଡିରେ ଧାନ ଉଠାଣ ବିଳମ୍ବ, ଟୋକନ ସମସ୍ୟା ଓ କଟନୀ-ଛଟନୀ ଅଭିଯୋଗକୁ ନେଇ ଶତାଧିକ ଚାଷୀ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ।
ନୂଆପଡା: ମଣ୍ଡି ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର । ନୂଆପଡା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଖୋଲାଯାଇଥିବା ଧାନ ମଣ୍ଡିଗୁଡ଼ିକରେ ଘୋର ଅବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ଅସନ୍ତୋଷ ତୀବ୍ର ରୂପ ନେଇଛି। ମଣ୍ଡିରେ ଧାନ ଉଠାଣ ବିଳମ୍ବ, ଟୋକନ ସମସ୍ୟା ଓ କଟନୀ-ଛଟନୀ ଅଭିଯୋଗକୁ ନେଇ ଶତାଧିକ ଚାଷୀ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଅଧିକାଂଶ ଧାନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଖରା ଓ ବର୍ଷାରେ ପଡ଼ି ରହିଛି। ମିଲରମାନେ ସମୟମତେ ଧାନ ଉଠାଉ ନଥିବାରୁ ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମିଲରର ମର୍ଜିରେ ଚାଲିଛି ଧାନମଣ୍ଡି । ଏଥିସହ କୁଇଣ୍ଟାଲ ପ୍ରତି ୬ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ କଟନୀ କରାଯାଉଥିବା ନେଇ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡି ଖୋଲିବାର ୨୦ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅନେକ ଚାଷୀଙ୍କ ଟୋକନ ଆସିଥିଲେ ହେଁ ଧାନ ଉଠୁନଥିବା ବେଳେ, ଅନ୍ୟ କିଛି ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ। ଏହାକୁ ନେଇ ଜିଲ୍ଲା ସାରା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହାର ପ୍ରତିବାଦରେ ଖଡ଼ିଆଳ ନିର୍ବାଚନମଣ୍ଡଳୀର ବିଭିନ୍ନ ୯ଟି ସ୍ଥାନରେ ଚାଷୀମାନେ ରାସ୍ତାରୋକ କରିଥିବା ବେଳେ, ନୂଆପଡା ସଦର ବ୍ଲକର ଚାଷୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ। ଆନ୍ଦୋଳନ ସମୟରେ ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ନାରାବାଜି କରାଯାଇଥିଲା। କିଛି ସମୟ ପାଇଁ ପୋଲିସ ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ଏହି ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡା ଗସ୍ତରେ ଥିବା ବେଳେ ଏକ ଅପ୍ରୀତିକର ଘଟଣା ଘଟିଥିଲା। ସଦଭାବନା ଗୃହରେ ମନ୍ତ୍ରୀଙ୍କ ବୈଠକ ଚାଲିଥିବା ବେଳେ କୁଳିଆବନ୍ଧା ଗାଁର ଚାଷୀ ମୋହିତ ନାଏକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା। ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଅଟକାଇଥିଲେ। ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ମଣ୍ଡିରୁ ସମସ୍ତ ଧାନ ଶୀଘ୍ର ଉଠାଣ କରିବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
