ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ କଲା କଂଗ୍ରେସର ୧୧ ଜଣିଆ ଟିମ୍ ।
ନୂଆପଡ଼ାରେ ମଣ୍ଡି ରୁ ଧାନ ନ ଉଠିବାରୁ ଚାଷୀ ଆତ୍ମହତ୍ୟା ଘଟଣା, ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍ । ଚିତ୍ରକୋଣ୍ଡା ବିଧାୟକଙ୍କ ନେତୃତ୍ୱରେ ସ୍ଥିତି ଅନୁଧ୍ୟାନ…
ନୂଆପଡା: ରାଜ୍ଯରେ ଚାଷୀଙ୍କ ଚିନ୍ତା ଵଢାଉଛି ମଣ୍ଡି ସମସ୍ଯା। କେଉଁଠି ମଣ୍ଡିରେ ଗଦା ଗଦା ଧାନ ପଡି ରହୁଛି ତ ଆଉ କେଉଁଠି ଧାନ କିଣାକୁ ନେଇ ଦେଖା ଦେଉଛି ଅନେକ ସମସ୍ଯା। ତେଵେ ଚାଷୀ ଆତ୍ମହତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ନୂଆପଡାରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି କଂଗ୍ରେସର ୧୧ ଜଣିଆ ଟିମ୍ । ସୂଚନା ଅନୁସାରେ, ନୂଆପଡାରେ ଟୋକେନ ପାଇ ମଧ୍ୟ ମଣ୍ଡି ରୁ ଧାନ ନ ଉଠିବା କାରଣରୁ ଭାରସାମ୍ୟ ହରାଇ ନେପାଳ ମାଝୀ ନାମକ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣାର ସତ୍ୟାସତ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁସାରେ, ୧୧ ଜଣିଆ କମିଟି ନୂଆପଡା ଜିଲ୍ଲା ଗ୍ରସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ସ୍ଥିତି ଅନୁଧ୍ୟାନକାରୀ ଦଳ ପ୍ରଥମେ ମୃତ ଚାଷୀଙ୍କ ଗାଁ ଜଡ଼ାମୁଣ୍ଡାରେ ପହଂଚି ମୃତ ପରିବାରକୁ ସମବେଦନା ଜଣାଇବା ସହ କେଉଁ ପରିସ୍ଥିତିରେ ଏବଂ କାହିଁକି ବିଷ ପିଇ ଆତ୍ମହତ୍ୟା କଲେ ପରିବାରଙ୍କୁ ପଚାରି ବୁଝିଥିଲେ । ଅନ୍ଯପଟେ ଘଟଣା ସମ୍ପର୍କରେ ଅବଗତ ହେଵା ପରେ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଥିଲା ଅନୁଧ୍ୟାନକାରୀ ଦଳ । ଏଥି ସହ ଅନୁଧ୍ୟାନକାରୀ ଦଳ ଜଡ଼ାମୁଣ୍ଡା ମଣ୍ଡି ମଧ୍ୟ ପରିଦର୍ଶନ କରିଥିଲେ । ମୃତ ନେପାଳ ମାଝୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ଚାଷ ପାଇଁ କୋମନା ଷ୍ଟେଟ ବ୍ୟାଙ୍କରୁ ନେଇଥିବା ଋଣକୁ ଛାଡ଼ କରିବା ପାଇଁ ଦାବୀ କରିଥିଲେ। ଏଥି ସହ ରାଜ୍ୟରେ କ୍ଷମତାରେ ଥିବା ଡବଲ ଇଂଜିନ ସରକାରର ଚାଷୀ ମାରଣ ନୀତି ଯୋଗୁଁ ନେପାଳ ମାଝୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଅନୁଧ୍ୟାନ କାରୀ ଦଳ ଅଭିଯୋଗ କରିଥିଲେ । ତେଵେ ମଣ୍ଡିରେ ଦେଖାଦେଇଥିବା ଅବ୍ୟବସ୍ଥାର ସମାଧାନ ସହ ଖରିଫ ଚାଷରେ ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ଏହାକୁ ନଜରରେ ରଖି ସାର, ବିହନ ଆଦି ଯୋଗାଇବା ପାଇଁ ମଧ୍ୟ ଦାବୀ କରିଛି ଅନୁଧ୍ୟାନକାରୀ ଦଳ ।
ରିପୋର୍ଟ- ବିମଳ ସିଂ ଦଳପତି
