ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ଆତ୍ମହତ୍ୟା ଅଭିଯୋଗ, ନୂଆପଡ଼ାରେ ଉତ୍ତେଜନା
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଡ଼ାମୁଣ୍ଡା ଗାଁରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠିନଥିବାରୁ ମାନସିକ ଚାପରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ।
ନୂଆପଡ଼ା: ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ଆତ୍ମହତ୍ୟା ଅଭିଯୋଗ, ନୂଆପଡ଼ାରେ ଉତ୍ତେଜନା । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଡ଼ାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠିନଥିବାରୁ ମାନସିକ ଚାପରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଜଡ଼ାମୁଣ୍ଡା ଗୋଲେଇପଡ଼ା ଅଞ୍ଚଳର ନେପାଳ ମାଝୀ (୪୫)। ସୂଚନା ଅନୁଯାୟୀ, ନେପାଳ ମାଝୀ ଚଳିତ ରବି ଋତୁରେ ୩ ଏକର ଧାନ ଓ ୨ ଏକର ଚିନାବାଦାମ ଚାଷ କରିଥିଲେ। ଧାନ ବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ ୩୦ରେ ତାଙ୍କୁ ୩୬.୯୬ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। କିନ୍ତୁ ୨୪ ଦିନ ଅତିକ୍ରମ ହେଲେ ମଧ୍ୟ ଧାନ ଉଠାଯାଇନଥିବାରୁ ସେ ଚିନ୍ତାରେ ଥିଲେ। ପରିବାରର ଆର୍ଥିକ ଚାପ, ଋଣ ଓ ଚାଷ ସମସ୍ୟାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ଗାଁରେ ଶୋକ ଛାୟା ଛାଇଯାଇଛି। ମୃତଦେହ ଗାଁକୁ ଆସିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ମଣ୍ଡିର ଅବ୍ୟବସ୍ଥା ଓ ମୃତକ ପରିବାର ପାଇଁ କ୍ଷତିପୂରଣ ଦାବି କରି ଜଡ଼ାମୁଣ୍ଡା ଛକ ନିକଟରେ ଜାତୀୟ ରାଜପଥ ୩୫୩ ଅବରୋଧ କରାଯାଇଥିଲା। ଆନ୍ଦୋଳନରେ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ ଏବଂ ବିଜେଡ଼ି ଜିଲ୍ଲା ସଭାପତି ଅବନି ଯୋଶୀ ମଧ୍ୟ ସାମିଲ ହୋଇଥିଲା । ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ପୋଲିସ ସହ କୋମନା ତହସିଲଦାର ଙ୍କ ନୂଆପଡା ଉପଜିଲ୍ଲପାଳ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଧାନ ଉଠାଯିବା ସହ ଆତ୍ମହତ୍ୟା ଘଟଣା ର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ।
