JAIPUR FAMILY KILLER ARREST:ପତ୍ନୀ ଓ ୩ ଝିଅଙ୍କୁ ମାରିଲା- ବାପାଙ୍କୁ ଚା ପିଆଇ ଫେରାର୍
୪ ଜଣଙ୍କୁ ମାରି ଏମିତି ବ୍ୟବହାର କଲା, ଯେମିତିକି ତା ଉପରେ କାହାର ସନ୍ଦେହ ହେବନି। ୪ଜଣଙ୍କୁ ପଥରରେ ଛେଚି ମାରିଦେଲା। ମାରିବା ପରେ ଗାଧୋଇଥିଲା। ବୟସ୍କ ବାପାଙ୍କ ଲାଗି ଚା ତିଆରି କଲା। ସକାଳେ କ୍ଷୀର ବାଲାଠୁ କ୍ଷୀର ବି ରଖିଲା। ଏହା ପରେ ଘରୁ ବାହାରିଗଲା।

ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତ ରାହୁଲ ଝାକୁ ପୁଲିସ ଶେଷରେ ଗିରଫ କରିଛି। ଜୟପୁରର କରଧନି ଥାନା ଏରିଆରେ ଏଭଳି ଲୋମଟାଙ୍କୁରା ହତ୍ୟା କରିଥିଲା ରାହୁଲ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ନିଜ ବଡ଼ ଝିଅ ଉପରେ ରାହୁଲର ରାଗ ଥିଲା। ସେ ଆଗ ତାକୁ ମାରିବାକୁ ଚାହୁଁଥିଲା। ହେଲେ ତା ପରେ ତା ମନରେ ପରିବାରର ବାକି ସଦସ୍ୟଙ୍କୁ ନେଇ ବି ଅଜବ ଚିନ୍ତାଧାରା ଆସିଥିଲା। ସେଥିଲାଗି ପୁରା ପରିବାରକୁ ଖତମ କରିବାକୁ ସେ ଯୋଜନା କଲା। ବଡ଼ ଝିଅ ଅନେକ ସମୟରେ ନିଜ ପରିଚିତ ଲୋକ ସହ ବାହାରକୁ ବୁଲିବାକୁ ଯାଏ। ନିକଟରେ ଜଣେ ଅଜଣା ଯୁବକ ସହ ସେ କାଉଡ଼ିଆ ଯାତ୍ରାରେ ବାହାରିଥିଲା। ଏହାକୁ ନେଇ ରାହୁଲ ବେଶ୍ କ୍ଷୁବ୍ଧ ଥିଲା। ଝିଅକୁ ଅନେକ ଥର ବୁଝାଇବା ସତ୍ତ୍ୱେ ସେ ମାନୁନଥିଲା। ତା ମନରେ ବିଚାର ଆସିଥିଲା ଯେ, ବଡ଼ ଝିଅକୁ ମାରି ସେ ଜେଲ୍ ଚାଲିଗଲା ପରେ ତାଙ୍କ ପତ୍ନୀ ଓ ବାକି ଦୁଇ ଝିଅଙ୍କର କିଏ ଦେଖାଶୁଣା କରିବ। ବାସ୍ ଏ ଚିନ୍ତା ମନରେ ପଶିଯିବାରୁ ପୁରା ପରିବାରକୁ ମାରିବାକୁ ଯୋଜନା କରିଥିଲା। ସେପ୍ଟେମ୍ୱର ୧୧ର ଘଟଣା। ପତ୍ନୀ ଓ ୩ ପିଲାଙ୍କୁ ମାରିଦେଲା ରାହୁଲ। ୪ ଜଣଙ୍କୁ ମାରି ଏମିତି ବ୍ୟବହାର କଲା, ଯେମିତିକି ତା ଉପରେ କାହାର ସନ୍ଦେହ ହେବନି। ୪ଜଣଙ୍କୁ ପଥରରେ ଛେଚି ମାରିଦେଲା। ମାରିବା ପରେ ଗାଧୋଇଥିଲା। ବୟସ୍କ ବାପାଙ୍କ ଲାଗି ଚା ତିଆରି କଲା। ସକାଳେ କ୍ଷୀର ବାଲାଠୁ କ୍ଷୀର ବି ରଖିଲା। ଏହା ପରେ ଘରୁ ବାହାରିଗଲା। ପତ୍ନୀ ଗୀତା ଝା, ବଡ଼ ଝିଅ ୨୩ ବର୍ଷୀୟା ନନ୍ଦିନୀ, ମଝିଆ ୧୮ ବର୍ଷୀୟା ରାଧିକା ଓ ସାନ ୧୪ ବର୍ଷର ଗୌରିଙ୍କ ଶବ ଗ୍ରାଉଣ୍ଡ ଫ୍ଲୋରର ଦୁଇଟି ଅଲଗା ଅଲଗା କୋଠରୀରେ ମିଳିଥିଲା। ୪ ଜଣ ଗଭୀର ନିଦରେ ଶୋଇଥିବା ବେଳେ ପଥରରେ ସେମାନଙ୍କ ମୁଣ୍ଡ ଓ ଚେହେରାକୁ ମାରିଥିଲା ରାହୁଲ। ମର୍ଡର କରିବା ପରେ ବସ୍ ଯୋଗେ ସିଧା ଖାଟୁଶ୍ୟାମଜୀ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଜଣେ ହୋଟେଲ ମାଲିକଙ୍କଠୁ ଟଙ୍କା ଉଧାର ମାଗିଥିଲା। ଏହା ବଦଳରେ ସେ ନିଜର ସୁନା ମୁଦି ଦେବାକୁ କହିଥିଲା। କିନ୍ତୁ ହୋଟେଲ ମାଲିକ ମନା କରିଦେଲେ। ଏହା ପରେ ରାହୁଲ ରିଙ୍ଗସ ରେଲଓ୍ୱେ ଷ୍ଟେସନରେ ରାତି କଟାଇଥିଲେ। ପରଦିନ ବିକାନେର ବସଷ୍ଟାଣ୍ଡ ପାଖରେ ବୁଲିଥିଲା। ସେପଟେ ଜୟପୁର ପୁଲିସ ତାକୁ ଖୋଜିବାକୁ ଯାଇ ଅଲଗା ଅଲଗା ଜାଗାର ସିସିଟିଭି ଫୁଟେଜ ଖୋଳତାଡ଼ କରୁଥିଲା। ଆଉ ଏହା ପରେ ରାହୁଲର ଲୋକେସନ ଟ୍ରେସ କରି ରିଙ୍ଗସରେ ଏକ ହୋଟେଲ ବାହାରୁ ତାକୁ ଗିରଫ କରିଛି। ରାହୁଲ ଝା ସେୟାର ଟ୍ରେଡିଂରେ କାମ କରୁଥିଲା। କିଛି ଦିନ ପୂର୍ବରୁ ଗୁଜରାଟରୁ ଜୟପୁର ଫେରିଥିଲା। ତାଙ୍କ ପତ୍ନୀ ଗୀତା ଝା ପ୍ରଥମ ମହଲାରେ ବୁଟିକ୍ ଚଳାଉଥିଲେ।
