ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ, ୫ ଦିନରେ ୧୧ ଜଣ ଗିରଫ
ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରାଇବା ନାଁରେ ଭକ୍ତମାନଙ୍କୁ ଠକୁଥିବା ନକଲି ଯାତ୍ରୀ ଗୁମାସ୍ତାଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି । ୫ ଦିନରେ ୧୧ ଅଭିଯୁକ୍ତ ଗିରଫ ।
ପୁରୀ: ଶ୍ରୀମନ୍ଦିରରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ । ଦର୍ଶନ ନାଁରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭକ୍ତଙ୍କୁ ଲୁଟ୍ ।୫ ଦିନରେ ୧୧ ଅଭିଯୁକ୍ତ ଗିରଫ । ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ କରାଇବା ନାଁରେ ଭକ୍ତମାନଙ୍କୁ ଠକୁଥିବା ନକଲି ଯାତ୍ରୀ ଗୁମାସ୍ତାଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି । ଦର୍ଶନର ସୁବିଧା କରାଇଦେବା ଏବଂ ବିଶେଷ ବ୍ୟବସ୍ଥା କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ । ଏହାକୁ ନେଇ ସିଂହଦ୍ୱାର ଥାନା ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଚଢାଉ ସମୟରେ ପୋଲିସ ୫ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଆଜି ପୋଲିସ ୩ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିଛି। ଆଜି ଗିରଫ ହୋଇଥିବା ୩ ଜଣଙ୍କ ଠାରୁ ନଗଦ ୨୬୨୦ ଟଙ୍କା ଓ ୩ ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନିମାପଡାର ଶଙ୍କର ବିଶ୍ୱାଳ, ପୁରୀ ମାର୍କଣ୍ଡେଶ୍ୱର ସାହିର ଅରୁଣ ପାତ୍ର, ଖୋର୍ଦ୍ଧାର ବାବୁନି ମହାପାତ୍ର, ଶିରୁଳି ଅଞ୍ଚଳର ସର୍ବେଶ୍ୱର ମାର୍ଗ, ଭଦ୍ରକର ରଣଜିତ ସାମନ୍ତରାୟ, ପୁରୀ ରାହାଡ଼ମଲର ବିକ୍ରମ ପ୍ରଧାନ, ଚନ୍ଦନପୁରର ଅଜୟ ଜେନା ଏବଂ ଗୋରୁଆଳ ଅଞ୍ଚଳର ଉମାକାନ୍ତ ପାଢୀ ପ୍ରମୁଖ ରହିଛନ୍ତି। ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ଦାୟର କରି ଅଧିକ ତଦନ୍ତ ଜାରି ରହିଛି। ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ସୁରକ୍ଷା ଓ ଠକେଇ ରୋକିବା ପାଇଁ ପୋଲିସ ପକ୍ଷରୁ ଏଭଳି ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
