Erasama: ମହାବାତ୍ୟାର ୨୬ ବର୍ଷ ପରେ ବି ବଦଳିନି ଭାଗ୍ୟ! ରାସ୍ତା ପାଇଁ ଦହିବର ଓ ଝାଟିପାରି ଗ୍ରାମବାସୀ ହନ୍ତସନ୍ତ
୧୯୯୯ ମହାବାତ୍ୟାର ୨୬ ବର୍ଷ ପରେ ବି ବଦଳିନି ଦହିବର ଓ ଝାଟିପାରି ଗ୍ରାମର ସ୍ଥିତି। ରାସ୍ତା ଅଭାବରୁ ହନ୍ତସନ୍ତ ଗ୍ରାମବାସୀ। ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି, ଆମ୍ବୁଲାନ୍ସ ଯାତାୟାତ ବାଧାପ୍ରାପ୍ତ।
ଜଗତସିଂହପୁର: ୧୯୯୯ ମହାବାତ୍ୟାକୁ ବିତିଗଲାଣି ୨୬ ବର୍ଷ। ହେଲେ ଏବେ ବି ଦୁର୍ଦ୍ଦଶାରୁ ମୁକୁଳି ପାରିନାହାନ୍ତି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଜପା ପଞ୍ଚାୟତର ଦହିବର ଓ ଝାଟିପାରି ଗ୍ରାମବାସୀ। ଗାଁକୁ ଯିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ ଦୈନନ୍ଦିନ ଯାତାୟାତଠାରୁ ଆରମ୍ଭ କରି ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ସବୁଥିରେ ଭୋଗିବାକୁ ପଡ଼ୁଛି ଅସୁବିଧା। ୧୯୯୯ ମସିହାର ଭୟଙ୍କର ମହାବାତ୍ୟାରେ ଏରସମା ବ୍ଲକ୍ର ଦହିବର ଓ ଝାଟିପାରି ଗ୍ରାମ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରେ ରହିଥିଲା। ମହାବାତ୍ୟାରେ ଏହି ଅଞ୍ଚଳରେ ୫୮୭ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଦିନେ ପ୍ରକୃତିର କରାଳ ରୂପ ଦେଖିଥିବା ଏହି ଗ୍ରାମବାସୀ ଆଜି ବି ମୌଳିକ ସମସ୍ୟାରୁ ମୁକ୍ତି ପାଇପାରିନାହାନ୍ତି। ଗାଁରେ ରହିଛି ବାତ୍ୟା ଆଶ୍ରୟସ୍ଥଳୀ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସେଠାକୁ ଯିବା ପାଇଁ ନାହିଁ ଉପଯୁକ୍ତ ରାସ୍ତା। ଝାଟିପାରିରୁ ଦହିବର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ୁଛି। ଏପରିକି ଗୁରୁତର ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି ଗ୍ରାମବାସୀ। ମହାବାତ୍ୟାର ୨୬ ବର୍ଷ ପରେ ମଧ୍ୟ ଯଦି ଗାଁକୁ ଭଲ ରାସ୍ତା ନାହିଁ, ତେବେ ବିକାଶର ଚିତ୍ର କେତେ ବାସ୍ତବ? ଏବେ ଗ୍ରାମବାସୀଙ୍କ ଗୋଟିଏ ଦାବି, ଯଥାଶୀଘ୍ର ରାସ୍ତା ନିର୍ମାଣ କରାଯାଉ ଏବଂ ସେମାନଙ୍କୁ ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି ମିଳୁ।
