Engineer’s Hidden Property : ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଚକିତ
ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାରେ ବାରିପଦା-ବେତନଟୀ R&B ଡିଭିଜନର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି | ଚଢ଼ାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି, ଜମି, ସୁନା, ନଗଦ ଓ ଜମା ରାଶିର ସନ୍ଧାନ ମିଳିଥିବା ବେଳେ, ବେନାମୀ ଲକର୍ରୁ ମଧ୍ୟ ନଗଦ ଓ ସୁନା ଜବତ ହୋଇଛି | ମାମଲାରେ ଅଧିକ ତଦନ୍ତ ଜାରି ରହିଛି |

ଖୋଲୁଛି ଇଞ୍ଜିନିୟରଙ୍କ ସମ୍ପତ୍ତିର ରହସ୍ୟ | ଆୟ ବହିର୍ଭୂତ ସମ୍ପତ୍ତି (DA) ମାମଲାରେ R&B ସବ୍ଡିଭିଜନ୍ର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ | ଶ୍ରୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବେତନଟୀ R&B ଡିଭିଜନର, R&B ସବ୍-ଡିଭିଜନ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ | ଗିରଫ ପରେ ତାଙ୍କୁ ଆଜି ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି | ଭିଜିଲାନ୍ସ ପକ୍ଷରୁ ଶ୍ରୀ ମହାନ୍ତିଙ୍କ ବିଭିନ୍ନ ସମ୍ପତ୍ତି ଓ ଠିକଣାରେ ଚଢ଼ାଉ କରାଯାଇଥିଲା | ଚଢ଼ାଉ ସମୟରେ ତାଙ୍କ ନାମରେ ଥିବା ୨ଟି ବହୁତଳୀୟ କୋଠା, ୫ ଏକର ଜମିରେ ଥିବା ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୩୦୦ ଗ୍ରାମ ସୁନା, ମୋଟ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ, ୬୯.୬୯ ଲକ୍ଷ ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ସମେତ ଅନ୍ୟାନ୍ୟ ସମ୍ପତ୍ତିର ସନ୍ଧାନ ମିଳିଛି | ଭୁବନେଶ୍ୱରର ବାଲିଅନ୍ତାସ୍ଥିତ ତାଙ୍କ ବାସଭବନରେ ଆଜି ପୁଣି ତଲାସୀ କରାଯିବା ସମୟରେ ୨.୫ ଲକ୍ଷ ଟଙ୍କା ନଗଦ ମିଳିଛି | ମାମଲାର ତଦନ୍ତ ବେଳେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି | ଶ୍ରୀ ମହାନ୍ତି ବାଲେଶ୍ୱରର ଜଣେ ଠିକାଦାରଙ୍କ ଘରେ ୨୦ଟି ପ୍ଲଟ୍ର ଜମି କାଗଜପତ୍ର ଲୁଚାଇ ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି | ରେଡ୍ ସମୟରେ କିଛି କାଗଜପତ୍ର ମାଟି ତଳେ ପୋତି ରଖାଯାଇଥିବା ମଧ୍ୟ ଜଣାପଡ଼ିଥିଲା | ପରେ ଭିଜିଲାନ୍ସ ଅଧିକାରୀମାନେ ମାଟି ଖୋଳି ସେହି କାଗଜପତ୍ରଗୁଡ଼ିକୁ ଉଦ୍ଧାର କରିଥିଲେ | ତଦନ୍ତରେ ଶ୍ରୀ ମହାନ୍ତିଙ୍କର ଏକ ବେନାମୀ ଲକର୍ ଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଛି | ଏହି ଲକର୍ଟି ସେହି ଠିକାଦାରଙ୍କ ନାମରେ ଥିବା ଅଭିଯୋଗ ହୋଇଛି | ଲକର୍ରୁ ୨.୭୭ ଲକ୍ଷ ଟଙ୍କା ନଗଦ ଏବଂ ଶ୍ରୀ ମହାନ୍ତିଙ୍କର ବୋଲି ଦାବି କରାଯାଉଥିବା ସୁନା ଜବତ କରାଯାଇଛି | ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଚଢ଼ାଉ ସମୟରେ ଠାବ ହୋଇଥିବା ଏହି ସମ୍ପତ୍ତି ଓ ଆର୍ଥିକ ରାଶିର ହିସାବ ଶ୍ରୀ ମହାନ୍ତି ଦେଇପାରିନଥିଲେ | ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୫/୨୦୨୬ ରୁଜୁ କରାଯାଇଛି | ଏହି ମାମଲା 'Prevention of Corruption Act, 2018' ଅଧୀନରେ ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି |
