Elephant Terror : ଦନ୍ତା ଆକ୍ରମଣରେ ବଳ ମାଝୀ ମୃତ
କଳାହାଣ୍ଡିର ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ବଳ ମାଝୀଙ୍କ ମୃତ୍ୟୁ | ପୋଡୁ ଚାଷ ଦେଖିବାକୁ ସ୍ତ୍ରୀଙ୍କ ସହ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା | ଘଟଣା ପରେ ଅଞ୍ଚଳରେ ହାତୀ ଆତଙ୍କ ବଢ଼ିଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ତୁରନ୍ତ କ୍ଷତିପୂରଣ ଦାବି ହୋଇଛି |
ଲାଞ୍ଜିଗଡ଼ରେ ବଢ଼ିଲା ହାତୀର ଆତଙ୍କ | କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ଼ ସେକ୍ସନ୍ର କାଣ୍ଡଗୁଡା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବଳ ମାଝୀ। ସୂଚନା ଅନୁସାରେ, ବଳ ମାଝୀ ନିଜ ସ୍ତ୍ରୀଙ୍କ ସହ ପୋଡୁ ଚାଷ ଦେଖିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଦନ୍ତା ହାତୀକୁ ଦେଖି ଉଭୟେ ଭୟଭୀତ ହୋଇ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ହାତୀଟି ବଳ ମାଝୀଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । ଅନ୍ୟପଟେ ହାତୀ ଆକ୍ରମଣରୁ ଭୟରେ ଦୂରକୁ ଦୌଡ଼ି ପଳାଇ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଗତ ଏକ ସପ୍ତାହ ବ୍ୟବଧାନରେ ପୁଣି ହାତୀ ଆକ୍ରମଣରେ ଜଣେ ମଣିଷଙ୍କ ଜୀବନ ଯିବା ପରେ ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଆତଙ୍କ ବଢ଼ିଛି । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।
