DSP Anju Yadav :ଘୁଂଘଟରୁ ଖାକି ବର୍ଦ୍ଦି:ଓକିଲଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ
ଓଢଣା ଭିତରୁ ବାହାରି ଖାକି ବର୍ଦ୍ଦି ପର୍ଯ୍ୟନ୍ତ ଅଞ୍ଜୁ ଯାଦବଙ୍କ ଜୀବନ ସଂଘର୍ଷ ଓ ସଫଳତାର ଏକ ଅସାଧାରଣ କାହାଣୀ ଅଟେ। ସ୍ୱାମୀଙ୍କୁ ହରାଇବା ପରେ ପୁଅକୁ ନେଇ ଜଣେ ଏକକ ମା’ ଭାବରେ ଜୀବନ ଗଢ଼ିଥିବା ଅଞ୍ଜୁ ଏବେ 'ଥପ୍ପଡବାଜ' ପୋଲିସ୍ ଅଧିକାରୀ ଭାବେ ଚର୍ଚ୍ଚାରେ ଅଛନ୍ତି।

ରାଜସ୍ଥାନ/ଅଜମେର:ରାଜସ୍ଥାନର ଅଜମେର ଜିଲ୍ଲା ଅନ୍ତର୍ଗତ କିଶନଗଡ଼ରେ ଓକିଲଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବିବାଦ ପରେ ଟ୍ରାଫିକ୍ ସିଓ ଅଞ୍ଜୁ ଯାଦବ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଉପରେ ଓକିଲ ବାବୁଲାଲ ବାଗରିଆଙ୍କୁ ଚାପୁଡ଼ା ମାରିବାର ଅଭିଯୋଗ ହୋଇଛି। ଘଟଣା ପରେ ଆଇନଜୀବୀମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ତିନୋଟି ଭିନ୍ନ ଥାନାରୁ ପୋଲିସ୍ ବଳ ମୁତୟନ କରିବାକୁ ପଡ଼ିଥିଲା। ମାମଲାଟି ଚର୍ଚ୍ଚାରେ ଥିବାବେଳେ ଅଞ୍ଜୁଙ୍କ ଜୀବନଯାତ୍ରା ମଧ୍ୟ ଆଲୋଚନାର ବିଷୟ ହୋଇଛି।
ହରିୟାଣାର ନାରନୌଲ ଅଞ୍ଚଳର ଧୌଲେଡ଼ା ଗାଁରେ ଏକ କୃଷକ ପରିବାରରେ ଅଞ୍ଜୁଙ୍କ ଜନ୍ମ। ବାପା ଲାଲାରାମ ଯାଦବ ଚାଷୀ ଏବଂ ମା’ ସୁଶୀଳା ଦେବୀ ଗୃହିଣୀ। ଚାରି ଭଉଣୀଙ୍କ ମଧ୍ୟରେ ବଡ଼ ଅଞ୍ଜୁ ଗାଁର ସରକାରୀ ସ୍କୁଲରେ ପଢ଼ିଥିଲେ। ପରେ ଦୂରଶିକ୍ଷା ମାଧ୍ୟମରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୦୯ରେ ୨୧ ବର୍ଷ ବୟସରେ ରାଜସ୍ଥାନର ଅଲୱର ଜିଲ୍ଲାର ଗଣ୍ଡାଲା ଗାଁରେ ତାଙ୍କ ବିବାହ ହୋଇଥିଲା। ବିବାହ ପରେ ରାଜସ୍ଥାନର ପାରମ୍ପରିକ ପ୍ରଥା ଅନୁସାରେ ଓଢ଼ଣାତଳେ ରହିବାକୁ ପଡ଼ୁଥିଲା ଅଞ୍ଜୁ ଯାଦବଙ୍କୁ।
୨୦୧୨ରେ ପୁଅ ମୁକୁଲଦୀପଙ୍କ ଜନ୍ମ ହେବାପରେ ଶ୍ୱଶୁରଘରୁ ଆଶାନୁରୁପ ସହଯୋଗ ନମିଳିବାରୁ ସେ ପୁଅକୁ ନେଇ ବାପଘରକୁ ଫେରିଆସିଥିଲେ। ୨୦୨୧ରେ ରୋଗରେ ସ୍ୱାମୀ ନିତ୍ୟାନନ୍ଦଙ୍କ ମୃତ୍ୟୁ ହେବା ପରେ ସେ ଏକାକୀ ମା’ ଭାବେ ପୁଅର ଲାଳନପାଳନ ସହ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଲେ।
ଆତ୍ମନିର୍ଭରଶୀଳ ହେବା ପାଇଁ ସେ ନିଜର ଅଟକି ଯାଇଥିବା ଶିକ୍ଷାକୁ ପୁନର୍ବାର ଆରମ୍ଭ କଲେ ଏବଂ କଠିନ ପରିଶ୍ରମ ବଳରେ ଗୋଟିଏ ପରେ ଗୋଟିଏ କରି ଚାରୋଟି ସରକାରୀ ଚାକିରି ହାସଲ କରିଥିଲେ। ଶିକ୍ଷାଦାନ କାର୍ଯ୍ୟ ଜାରି ରଖିବା ସହିତ ସେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରି RPSC RAS 2021 ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଅତ୍ୟନ୍ତ କଠିନ ପରିଶ୍ରମ ଓ ନିଷ୍ଠା ବଳରେ, ସେ ନିଜର ପ୍ରଥମ ପ୍ରୟାସରେ ହିଁ 'ବିଧବା ବର୍ଗ'ରେ ୧୭୨୫ତମ ସ୍ଥାନ ହାସଲ କରି ରାଜସ୍ଥାନ ପୋଲିସ୍ ସେବା (RPS) ରେ ନିଯୁକ୍ତି ପାଇବାରେ ସଫଳ ହେଲେ। ରାଜସ୍ଥାନ ପୋଲିସ୍ ଏକାଡେମୀରେ କଠୋର ପ୍ରଶିକ୍ଷଣ ପରେ, ମେ ୨୦୨୪ରେ 'ପାସିଂ-ଆଉଟ୍ ପରେଡ୍' ସମାପ୍ତ ହେବା ସହ ସେ ଡିଏସ୍ପି ଭାବେ ନିଯୁକ୍ତ ହେଲେ।
ଶୁକ୍ରବାର ସନ୍ଧ୍ୟାରେ ସିଟି ରୋଡ୍ରେ ପାର୍କିଂକୁ ନେଇ ବାଗରିଆ ଓ ଅଞ୍ଜୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଓକିଲଙ୍କ କହିବା ଅନୁସାରେ, ସେ ଭୁଲ ସ୍ୱୀକାର କରି ପୁଣି ସେଠାରେ ଗାଡ଼ି ନରଖିବାକୁ କହିଥିଲେ। ତଥାପି ତାଙ୍କ ଗାଡ଼ିର ଚାବି ନିଆଯାଇ ମାଡ଼ ମରାଯାଇଥିବା ଓ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାର ଭିଡିଓ ସାମ୍ନାକୁ ଆସିଛି। ବାର୍ ଆସୋସିଏସନ୍ର ସଦସ୍ୟମାନେ ଅଧିକାରୀଙ୍କ ନିଲମ୍ବନ ଦାବି କରିଥିଲେ। ପୁଲିସ ପହଞ୍ଚି ଆଲୋଚନା କରିବା ପରେ ଏକ ଘଣ୍ଟାରେ ରାସ୍ତା ଅବରୋଧ ହଟିଥିଲା। ଯଦିଓ ଏହି ପ୍ରଶାସନିକ ବିଷୟଟି ବର୍ତ୍ତମାନ ତଦନ୍ତ ଅଧୀନରେ ରହିଛି, ତଥାପି ତାଙ୍କର ପ୍ରେରଣାଦାୟକ ଜୀବନଯାତ୍ରା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ସାହସ ଓ ସଂଘର୍ଷର ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିଛି।
