Drowning Death: ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ଜଣ ୧୪ ବର୍ଷୀୟ ନାବାଳକ ଛାତ୍ରଙ୍କ ମୃତ୍ୟୁ। ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ହିଞ୍ଜିଳିକାଟୁ: ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଜଣ ନାବାଳକ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଛାତ୍ର ଦ୍ୱୟ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଏବଂ ଗାୟତ୍ରୀ ନଗର ଅଞ୍ଚଳର ପ୍ରୀତମ ସାମେଲି (୧୪)। ମିଳିଥିବା ସୂଚନା ଅନୁସାରେ, ଉଭୟ ଛାତ୍ର ଅନ୍ୟ ସାଙ୍ଗମାନଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ। ବିସର୍ଜନ ସମୟରେ ଉଭୟ ଅସାବଧାନତାବଶତଃ ନଦୀର ଗଭୀର ପାଣିକୁ ଚାଲିଯାଇଥିଲେ। ଫଳରେ ଉଭୟେ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁଇ ନାବାଳକଙ୍କ ଅକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
