A Dream Trip to Delhi Turns Into a Nightmare : ଦିଲ୍ଲୀ ଯାତ୍ରା ହେଲା ଦୁଃସ୍ୱପ୍ନ! ଭୋରରେ ଓଲଟିଲା ବସ୍
ଦିଲ୍ଲୀ ଯିବା ବାଟରେ ମୃତ୍ୟୁର ମୋଡ଼! ଝାରପୋଖରିଆରେ ଓଲଟିଲା ଯାତ୍ରୀଙ୍କୁ ନେଇ ଯାଉଥିବା ଶ୍ୟାମଳୀ ବସ୍। ୨ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ, ଅନେକ ଆହତ। ଦୁର୍ଘଟଣା ପଛର କାରଣକୁ ନେଇ ଉଠିଲା ପ୍ରଶ୍ନ!
ଦିଲ୍ଲୀ ଯିବାର ସ୍ୱପ୍ନ ନେଇ ଯାତ୍ରା ଆରମ୍ଭ କରିଥିଲେ ପ୍ରାୟ ୪୨ ଜଣ ଯାତ୍ରୀ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଯାତ୍ରା ପାଲଟିଗଲା ଭୟଙ୍କର ଦୁର୍ଘଟଣାରେ। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାର ନିକଟରେ ଜାତୀୟ ରାଜପଥ-୧୮ ଉପରେ ଓଲଟି ପଡ଼ିଲା ଦିଲ୍ଲୀ ଅଭିମୁଖେ ଯାଉଥିବା ଶ୍ୟାମଳୀ ଘରୋଇ ବସ୍। ଆଜି ଭୋର ପ୍ରାୟ ୩ଟା ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ କେତେକ ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁଇ ଗୁରୁତରଙ୍କୁ ନିକଟସ୍ଥ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଶ୍ୟାମଳୀ ବସ୍ଟି ଯାତ୍ରା ଆରମ୍ଭ କରିଥିଲା। କାଲି ଦିଲ୍ଲୀରେ ପହଞ୍ଚିବାର ଯୋଜନା ଥିଲା। ମାତ୍ର ଆଜି ଭୋର ସମୟରେ ଝାରପୋଖରିଆ ବଜାର ନିକଟରେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିଲା। ଫଳରେ ବସ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ଦୁର୍ଘଟଣା ଖବର ପାଇବା ମାତ୍ରେ ଝାରପୋଖରିଆ ପୋଲିସ ସହ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଏହାସହ ଆହତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା | ଏହି ଦୁର୍ଘଟଣା ପରେ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସାମ୍ନାକୁ ଆସୁଛି। ଦୀର୍ଘପଥରେ ଯାତ୍ରା କରୁଥିବା ବସ୍ର ଫିଟନେସ୍ ଯାଞ୍ଚ ହୋଇଥିଲା କି? ଚାଳକ ପର୍ଯ୍ୟାପ୍ତ ବିଶ୍ରାମ ନେଇଥିଲେ କି? ବସ୍ର ଗତି ଓ ଯାନ୍ତ୍ରିକ ସ୍ଥିତି ଉପରେ ନଜର ରଖାଯାଉଥିଲା କି? ଏହାସହ ପରିବହନ ବିଭାଗର ଯାଞ୍ଚ ଓ ତଦାରଖ ବ୍ୟବସ୍ଥା କେତେ ପ୍ରଭାବଶାଳୀ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
