A Message That Stopped Takeoff: ଲିପଷ୍ଟିକ୍ରେ ଧମକ, ଅଟକିଲା ବିମାନ
ଉଡ଼ାଣ ପୂର୍ବରୁ ବିମାନରେ ହାଇଜାକ୍ ଧମକ ! ଶୌଚାଳୟ ଦର୍ପଣରେ ଲେଖା ଥିଲା ଚାଞ୍ଚଲ୍ୟକର ବାର୍ତ୍ତା, କୋଲକାତାରେ ହଇଚଇ !

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳେ ହଇଚଇ ସୃଷ୍ଟି ହୋଇଥିଲା। ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ହାଇଜାକ୍ କରିବାର ଧମକ ମିଳିଥିବା ଖବର ସାମ୍ନାକୁ ଆସିବା ପରେ ଆତଙ୍କ ଖେଳିଯାଇଥିଲା। ସୂଚନା ଅନୁସାରେ, ବିମାନଟି ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଶୌଚାଳୟର ଦର୍ପଣ ଉପରେ ଲେଖାଯାଇଥିବା ଏକ ଧମକପୂର୍ଣ୍ଣ ବାର୍ତ୍ତା ନଜରକୁ ଆସିଥିଲା। ଏହା ଦେଖିବା ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ସତର୍କ କରାଇଥିଲେ।
CISF ପକ୍ଷରୁ ଯାଞ୍ଚ
ଘଟଣା ପରେ ବିମାନଟିକୁ ଅଲଗା ସ୍ଥାନରେ ରଖାଯାଇଥିଲା। ଏହାପରେ CISF ଏବଂ ବିମାନବନ୍ଦରର ସୁରକ୍ଷା ଟିମ୍ ତୁରନ୍ତ ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲେ। ବିମାନ ଭିତରେ କୌଣସି ସନ୍ଦେହଜନକ ବସ୍ତୁ ଅଛି କି ନାହିଁ, ସେନେଇ ପ୍ରତ୍ୟେକ କୋଣ ଅନୁକୋଣ ଯାଞ୍ଚ କରାଯାଇଥିଲା।
ଧମକପୂର୍ଣ୍ଣ ବାର୍ତ୍ତା ପଛରେ କିଏ?
ଶୌଚାଳୟର ଦର୍ପଣରେ ଏହି ଧମକପୂର୍ଣ୍ଣ ବାର୍ତ୍ତା କିଏ ଲେଖିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୋଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଯାତ୍ରୀଙ୍କ ତାଲିକା ସହ ବିମାନବନ୍ଦର ଓ ବିମାନ ଭିତରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।ଏହାସହ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରାଯାଇଥିଲା | ଏଥିରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା | ବିଭିନ୍ନ ରିପୋର୍ଟ ଅନୁସାରେ, ବିମାନରେ ଯାତ୍ରୀଙ୍କ ସଂଖ୍ୟା ୯୩ରୁ ୧୪୭ ମଧ୍ୟରେ ଥିବା କୁହାଯାଉଛି | ସେହିପରି ସକାଳ ୧୧ଟା ୧୦ ମିନିଟ୍ ସମୟରେ ବିମାନକୁ ହାଇଜାକ୍ କରାଯିବ ବୋଲି ଲିପଷ୍ଟିକ୍ରେ ଲେଖାଯାଇଥିବା ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିର ତଦନ୍ତ ଜାରି ରହିଛି।
