ବିନା ପ୍ରେସକ୍ରିପ୍ସନରେ ଆଉ ମିଳିବନି କଫ୍ ସିରଫ୍
ପଞ୍ଜୀକୃତ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ମିଳିବ ସିରପ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ଼ ପଦକ୍ଷେପ। କଫ ସିରପର ଓଭର-ଦି-କାଉଣ୍ଟର (ଓଟିସି) ବିକ୍ରି ବନ୍ଦ। ସହରରେ ଏ ନିୟମ ପୂର୍ବରୁ ଥିଲା ବେଳେ ଆଜିଠୁ ଗାଁରେ ବି ଲାଗୁ ହେବ।

ନୂଆଦିଲ୍ଲୀ: କଫ୍ ସିରଫ୍ ବିକ୍ରୟ ଉପରେ କେନ୍ଦ୍ର ସରକାରଙ୍କ କଡ଼ା ପଦକ୍ଷେପ । ବିନା ପ୍ରେସକ୍ରିପ୍ସନରେ ଆଉ ମିଳିବନି କଫ୍ ସିରଫ୍। ଏବେ କଫ୍ ସିରଫ୍ କିଣିବା ପାଇଁ ଆଣିବାକୁ ପଡିବ ଡାକ୍ତରଙ୍କ ପ୍ରେସକ୍ରିପ୍ସନ। କେବଳ ପଞ୍ଜୀକୃତ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ମିଳିବ ସିରଫ୍। ଏନେଇ ନିୟମରେ ସଂଶୋଧନ କରି ବିଧିବଦ୍ଧ ଭାବେ ଘୋଷଣା କଲେ କେନ୍ଦ୍ର ସରକାର। ସମସ୍ତ ଔଷଧୀୟ ସିରପ ପାଇଁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଆବଶ୍ୟକ ବୋଲି କହିବା ସହ ଓଭର-ଦି-କାଉଣ୍ଟର (ଓଟିସି) ବିକ୍ରିକୁ ବନ୍ଦ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସହରରେ ଏ ନିୟମ ପୂର୍ବରୁ ଥିବା ବେଳେ ଆଜିଠୁ ଗାଁରେ ବି ଏହି ନୂଆ ନିୟମ ଲାଗୁ ହେବ। ଅନେକ ରାଜ୍ୟରେ କଫ ସିରପକୁ ନିଶାଭାବେ ବ୍ୟବହାର କରୁଛନ୍ତି ନିଶାଡି ମାନେ। ଏହାର ଅନେକ ଅବୈଧ ସପ୍ଲାଏକୁ ରୋକ୍ ଲଗାଇବା ପାଇଁ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ନିମ୍ନମାନର କଫସିରପ ପିଇ ଅନେକ ରାଜ୍ୟରେ ଶିଶୁ ମୃତ୍ୟୁର ଘଟଣା ସାମ୍ନାକୁ ଆସିଥିଲା। ତେବେ ନୂଆ କଟକଣାକୁ ନେଇ ସୂଚନା ଜାରି କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ହର୍ଷ ମଙ୍ଗଲା।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଔଷଧୀୟ ସିରଫ୍, ବିଶେଷକରି କାଶ ସିରାପ ବିକ୍ରୟ ଉପରେ ନୂଆ ନିୟମ କଡାକଡି ଭାବେ ଲାଗୁ କରିଛନ୍ତି । ଡ୍ରଗ୍ସ ରୁଲ୍ସ, ୧୯୪୫ରେ ସଂଶୋଧନ କରାଯାଇଥିବାରୁ ଏବେ ଫାର୍ମାସିରୁ କଫ୍ ସିରଫ୍ କିଣିବାକୁ ଗ୍ରାହକମାନଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଦେଖାଇବାକୁ ପଡ଼ିବ। ୨୦୨୬ ଜୁନ ୯ ତାରିଖରେ ଜାରି ହୋଇଥିବା ଅଧିସୂଚନାରେ କେନ୍ଦ୍ର ସରକାର ଡ୍ରଗ୍ସ ରୁଲ୍ସ, ୧୯୪୫ର ସୂଚୀ ‘K’ରେ ଥିବା “ସିରଫ” ଶବ୍ଦକୁ ବାହାର କରିଛନ୍ତି। ଏହା ଫଳରେ ସିରାପ ଗୁଡ଼ିକର ଓଭର-ଦି-କାଉଣ୍ଟର ବିକ୍ରୟ ବନ୍ଦ ହୋଇଯିବ ଏବଂ ସେଗୁଡ଼ିକ ଅଧିକ ନିୟନ୍ତ୍ରଣ ଅଧୀନରେ ଆସିବ। ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ, ୧୯୪୦ର ଧାରା ୧୨ ଓ ୩୩ ଅନୁସାରେ କେନ୍ଦ୍ର ସରକାର ଏହି ସଂଶୋଧନ କରିଛନ୍ତି।
ପୂର୍ବରୁ ଦୂଷିତ କାଶ ସିରାପ ପିଇ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କିଛି ଶିଶୁଙ୍କ ମୃତ୍ୟୁ ଘଟିଥିବା ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଘଟଣା କାଶ ସିରପର ଔଷଧୀୟ ଗୁଣବତ୍ତା ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଥିଲା।
ଏବେ ନୂଆ ନିୟମ ଲାଗୁ ହେବାରୁ ଦେଶର ସମସ୍ତ ଫାର୍ମାସିକୁ ସିରଫ୍ ବିକ୍ରୟ ସମ୍ପର୍କିତ ନୂତନ ନିୟମ ମାନିବାକୁ ପଡ଼ିବ।
