Disproportionate assets Update News : AEE ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଯାଜପୁର ବଡ଼ଚଣା R&B ସବ୍ଡିଭିଜନ୍ର AEE ତପନ ସେଠୀ ଗିରଫ। ଚଢ଼ାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି, ୭୪୭ ଗ୍ରାମ ସୁନା ଓ ନଗଦ ଜମା ଠାବ କରିଛି ଭିଜିଲାନ୍ସ।

ଆୟବହିର୍ଭୂତ ସମ୍ପତ୍ତି (DA) ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯାଜପୁର ଜିଲ୍ଲା ବଡ଼ଚଣା R&B ସବ୍ଡିଭିଜନ୍ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ତପନ ସେଠୀଙ୍କୁ ଗିରଫ କରାଯାଇଛି। ତାଙ୍କୁ କଟକସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଚଢ଼ାଉରେ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି!
ଭିଜିଲାନ୍ସର ସୂଚନା ଅନୁଯାୟୀ, ତପନ ସେଠୀଙ୍କ ସମ୍ପତ୍ତି ଉପରେ ହୋଇଥିବା ଯାଞ୍ଚ ସମୟରେ କଟକ, ଭୁବନେଶ୍ୱର ଓ ପୁରୀରେ ୩ଟି ବହୁତଳ କୋଠା, ୩ଟି ଦାମୀ ପ୍ଲଟ୍, ୧.୦୨ ଏକର ଜମିରେ ଥିବା ଏକ ଫାର୍ମହାଉସ୍, ୭୪୭ ଗ୍ରାମ୍ ସୁନା, ୨୦.୮୭ ଲକ୍ଷ ଟଙ୍କାର ଜମା ଏବଂ ୨ଟି ଚାରିଚକିଆ ଗାଡ଼ି ଠାବ କରାଯାଇଛି । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏହି ଘଟଣାରେ ଭିଜିଲାନ୍ସ ସେଲ୍ ଥାନାରେ କେସ୍ ନମ୍ବର ୮/୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଜାରି ରହିଛି। ଏବେ ଭିଜିଲାନ୍ସ ତଦନ୍ତରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ନଜର ରହିଛି।
