ରଥଯାତ୍ରା ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି
ରଥଯାତ୍ରାକୁ ତୃଟିଶୂନ୍ୟ, ଶୃଙ୍ଖଳିତ ଓ ସୁପରିଚାଳନା କରିବାକୁ ପୁରୀରେ ସମୀକ୍ଷା କଲେ ଡିଜି ଯୋଗେଶ ବାହାଦୂର ଖୁରାନିଆ। ସହରର ୮ଟି ସ୍ଥାନରେ ନୂଆ ପାର୍କିଂସ୍ଥଳ କରାଯାଇଛି। ଅଘଟଣମୁକ୍ତ ରଥଟଣା ଓ ରଥଯାତ୍ରା ପରିଚାଳନାକୁ ପ୍ରାଥମିକତା। ଭିଡ଼ ନିୟନ୍ତ୍ରଣକୁ ମୁକାବିଲା ଲାଗି ରୋଡମ୍ୟାପ୍ ହୋଇଛି।

ପୁରୀ: ପାଖେଇ ଆସୁଛି ଵିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା । ଆସନ୍ତା ଜୁଲାଇ ୧୬ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ଟାଉନ୍ହଲରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଏହି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ 8ଟି ସ୍ଥାନରେ ନୂତନ ପାର୍କିଂସ୍ଥଳ ପ୍ରସ୍ତୁତ କରାଯାଇଛି। ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ପ୍ରତି ସହନଶୀଳ ମନୋଭାବ ପ୍ରଦର୍ଶନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି । ଉତ୍ତରା ଛକରୁ ଆରମ୍ଭ କରି ପୁରୀ ,ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।
ନିର୍ଦ୍ଦେଶକ(ଗୁଇନ୍ଦା) ଶ୍ରୀ ଆର୍. ପି. କୋଚେ ଟ୍ରାଫିକ୍ ନିୟନ୍ତ୍ରଣ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗମନାଗମନ, ଭିଡ଼ ନିୟନ୍ତ୍ରଣ ଏବଂ କର୍ଡନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀମାନଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ଭକ୍ତମାନଙ୍କ ପ୍ରତି ସହନଶୀଳ ଓ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର କରିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର କହିଥିଲେ ଯେ, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଭିଆଇପି ଗସ୍ତ ଓ ଜନସାଧାରଣଙ୍କ ସୁରକ୍ଷା ପରସ୍ପର ସହ ଜଡ଼ିତ। ସମନ୍ୱିତ ପଦକ୍ଷେପ ମାଧ୍ୟମରେ ପ୍ରତ୍ୟେକ ଭକ୍ତ ଯେପରି ସୁରକ୍ଷିତ ଓ ସନ୍ତୋଷଜନକ ଅନୁଭୂତି ସହ ପୁରୀରୁ ଫେରିବେ, ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ସମର୍ପଣର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ।
ଏହି ସମୀକ୍ଷା ବୈଠକରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ରଥଯାତ୍ରାର ସୁରକ୍ଷା ଓ ପରିଚାଳନା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
