Danagadi-Public-Grievance:ଦାନଗଦୀରେ ଜିଲ୍ଲାପାଳଙ୍କ ଜନଶୁଣାଣି
ଲୋକଙ୍କ ସମସ୍ୟା ନେଇ ପ୍ରଶାସନ ପାଖରେ ପହଞ୍ଚିଲେ ଅଭିଯୋଗକାରୀ। କିଛି ସମସ୍ୟାର ମିଳିଲା ତତ୍କାଳ ସମାଧାନ, ଆଉ କିଛି ଅଭିଯୋଗ ରହିଲା ବିଚାରାଧୀନ। ଦାନଗଦୀରେ ଜିଲ୍ଲାପାଳଙ୍କ ଜନଶୁଣାଣି ପରେ ଏବେ ଅପେକ୍ଷା ବାକି ଅଭିଯୋଗର ସମାଧାନକୁ।
ଯାଜପୁର:ଜନସାଧାରଣଙ୍କ ସମସ୍ୟା ଶୁଣିବା ଏବଂ ତାହାର ସମାଧାନ ପାଇଁ ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସି ଲୋକେ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଜଣାଇଥିଲେ। ଶିବିରରେ ମୋଟ ୭୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୫୪ଟି ବ୍ୟକ୍ତିଗତ, ୩ଟି ଗ୍ରାମ୍ୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏବଂ ଗୋଟିଏ ରେଡ୍କ୍ରସ୍ ସହାୟତା ସମ୍ପର୍କିତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ୨୦ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅବଶିଷ୍ଟ ୫୧ଟି ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନାଗେନ୍ଦ୍ରନାଥ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଜନ ଅଭିଯୋଗ ଶୁଣାଣି ଶିବିରରେ ଲୋକଙ୍କ ସମସ୍ୟା ଶୁଣି ୨୦ଟି ଅଭିଯୋଗର ତତ୍କାଳ ସମାଧାନ କରିବା ପ୍ରଶାସନର ଏକ ସକାରାତ୍ମକ ପଦକ୍ଷେପ। ତେବେ ବାକି ୫୧ଟି ଅଭିଯୋଗର ସମାଧାନ କେତେ ଶୀଘ୍ର ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
