Daler Mehndi Drunken:ବିବାଦରେ ମନ୍ତ୍ରୀଙ୍କ ମନ୍ତବ୍ୟ- ନିଶାରେ ଦଲେର ମେହେନ୍ଦି!
ଏଭଳି ମହାନ କଳାକାରଙ୍କ ବାବଦରେ ସମ୍ପୂର୍ଣ୍ଣ ନ ଜାଣି ଏଭଳି ନିଷ୍କର୍ସ ବାହାର କରି ତାଙ୍କୁ ଅପମାନିତ ଓ ଲାଞ୍ଛିତ କରିବା କେତେଦୂର ଯୁକ୍ତିଯୁକ୍ତ। ଯଦି କୌଣସି କଳାକାରଙ୍କ ସ୍ୱାସ୍ଥ୍ୟବସ୍ଥା ବା ପରଫରମାନ୍ସକୁ ନେଇ କୌଣସି ଆପତ୍ତି ଥାଏ, ତ ପେଶାଦାର ଭାବେ ସହାନୁଭୂତି ସହ କହିବା ଜରୁରୀ। ସେମାନଙ୍କ ସହ ସମ୍ମାନଜନକ ବ୍ୟବହାର କରିବା ଉଚିତ। ଦଲେରଙ୍କୁ ଅପମାନ ପୁରା ଇଣ୍ଡଷ୍ଟ୍ରି ଲାଗି ଦୁଃଖଦ କଥା।

ମଦ ନିଶାରେ ମଞ୍ଚରେ ପରଫର୍ମାନ୍ସ କରିଥିଲେ ଦଲେର ମେହେନ୍ଦି! ଏଭଳି ଆରୋପ ଲଦିଥିଲେ ଉତ୍ତରାଖଣ୍ଡର ମନ୍ତ୍ରୀ। ଯାହାକୁ ନେଇ ବିବାଦ ତେଜିଥିଲା ବେଳେ ଦଲେରଙ୍କ ସମର୍ଥନରେ ଆଗକୁ ଆସିଛି FWICE। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଚିଠି ଲେଖି ଗାୟକଙ୍କ ସହ ସମ୍ୱେଦନଶୀଳତା ଓ ସମ୍ମାନର ସହ ଆଚରଣ କରିବା ଜରୁରୀ ବୋଲି ଅପିଲ କରିଛି ଫେଡେରେସନ। ଫେଡେରେସନ ଅଫ ଓ୍ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଡ ସ୍ପଷ୍ଟ କରିଛି ଯେ, ଦଲେର କେବେ ବି ମଦ ପିଅନ୍ତିନି। କିନ୍ତୁ ସେ ନିଶାସେବନ କରି ଷ୍ଟେଜରେ ପରଫରମାନ୍ସ କରିବାର ମିଛ ଆରୋପ ଲଦାଯାଇଛି। ଦଲେର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ସହ ଜୁଝୁଛନ୍ତି। ସର୍ଜରି ପରେ ରିକଭରି ବି ହେଉଛନ୍ତି। ଏମିତି ସ୍ଥିତିରେ ଏଭଳି ମହାନ କଳାକାରଙ୍କ ବାବଦରେ ସମ୍ପୂର୍ଣ୍ଣ ନ ଜାଣି ଏଭଳି ନିଷ୍କର୍ସ ବାହାର କରି ତାଙ୍କୁ ଅପମାନିତ ଓ ଲାଞ୍ଛିତ କରିବା କେତେଦୂର ଯୁକ୍ତିଯୁକ୍ତ। ଯଦି କୌଣସି କଳାକାରଙ୍କ ସ୍ୱାସ୍ଥ୍ୟବସ୍ଥା ବା ପରଫରମାନ୍ସକୁ ନେଇ କୌଣସି ଆପତ୍ତି ଥାଏ, ତ ପେଶାଦାର ଭାବେ ସହାନୁଭୂତି ସହ କହିବା ଜରୁରୀ। ସେମାନଙ୍କ ସହ ସମ୍ମାନଜନକ ବ୍ୟବହାର କରିବା ଉଚିତ। ଦଲେରଙ୍କୁ ଅପମାନ ପୁରା ଇଣ୍ଡଷ୍ଟ୍ରି ଲାଗି ଦୁଃଖଦ କଥା। ଘଟଣା ଥିଲା କିଛି ଏମିତି। ରବିବାର ନୂଆ ଟିହରିରେ ଆୟୋଜିତ ସିଦ୍ଧପୀଠ ମା କୁଞ୍ଜାପୁରୀ ପର୍ଯ୍ୟଟନ ଏବଂ ବିକାଶ ମେଳାରେ ଦଲେର ପରଫରମାନ୍ସ କରୁଥିଲେ। ଏତିକିବେଳେ ଉତ୍ତରାଖଣ୍ଡ ସରକାରର କ୍ୟାବିନେଟ ମନ୍ତ୍ରୀ ସୁବୋଧ ଅନିୟାଲ ତାଙ୍କୁ କାର୍ଯ୍ୟକ୍ରମ ଅଧାରୁ ଅଟକାଇଦେଇଥିଲେ। କାରଣ ଷ୍ଟେଜରେ ତାଙ୍କର ଲିପ୍ ସିଙ୍କ୍ କରିଥିଲା। ଯାହାକୁ ନେଇ ଦର୍ଶକ ଅସନ୍ତୋଷ ଝାଡ଼ିଥିଲେ। ଏହା ଦେଖି ମନ୍ତ୍ରୀ ସୁବୋଧ ହସ୍ତକ୍ଷେପ କରି ଆରୋପ ଲଦିଥିଲେ ଯେ, ଦଲେର ନିଶାରେ ଅଛନ୍ତି। ବାସ୍ ଏହି ଘଟଣାକୁ ନେଇ ବିବାଦ ଛିଡ଼ା ହୋଇଛି। ସେପଟେ ଦଲେରଙ୍କୁ ବଲିଉଡରୁ ମିଳୁଥିବା ସମର୍ଥନ ଦେଖି ସୁବୋଧ କହିଲେଣି, ତାଙ୍କୁ ଜଣାନାହିଁ, ଦଲେର କେଉଁ ନିଶା ସେବନ କରିଥିଲେ। ଏହା ଜାଣିବାକୁ କଅଣ ତାଙ୍କୁ ମେଡିକାଲରେ ପରୀକ୍ଷା କରାଇଥାଆନ୍ତି କି। ଯଦି ସତରେ ଦଲେରଙ୍କ ଦେହ ଖରାପ ଥିଲା, ସେ ପ୍ରୋଗ୍ରାମକୁ ଆସିବାର ନଥିଲା। ମଞ୍ଚ ଉପରେ ଦଲେରଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟର ଜଣେ ମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ଅନେକ କଳାକାର ଦଲେରଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ତେବେ ଏହି ବିବାଦରେ କେବଳ ଜଣେ କଳାକାରଙ୍କ ସମ୍ମାନ ନୁହେଁ, ବରଂ କଳାକାରଙ୍କ ସ୍ୱାସ୍ଥ୍ୟ, ମଞ୍ଚରେ ଦାୟିତ୍ୱ ଏବଂ ଦର୍ଶକଙ୍କ ପ୍ରତି ଉତ୍ତରଦାୟିତ୍ୱ ଭଳି ପ୍ରଶ୍ନ ମଧ୍ୟ ଉଠିଛି। ମନ୍ତ୍ରୀଙ୍କ ଅଭିଯୋଗ ଥିଲା ଯେ ଦଲେର ଠିକ୍ ଭାବରେ ଗାଇପାରୁ ନଥିଲେ ଏବଂ ସେ ଲାଇଭ୍ ଗାଇବା ପରିବର୍ତ୍ତେ ରେକର୍ଡ ହୋଇଥିବା ସଙ୍ଗୀତ ସହିତ କେବଳ ଓଠ ମିଳାଉଥିବା ଭଳି ଲାଗୁଥିଲା। ତାଙ୍କ ବ୍ୟବହାର ଦେଖି ମନ୍ତ୍ରୀ ନିଶା ସେବନ କରିଥିବାର ସନ୍ଦେହ ମଧ୍ୟ ପ୍ରକାଶ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ବିବାଦ ବଢ଼ିଥିଲା।
କାହିଁକି ଦଲେର ମେହେନ୍ଦିଙ୍କ ପକ୍ଷ ନେଲେ ବଲିଉଡ୍ କଳାକାର?
ଅଭିନେତା ଅନୁପମ ଖେର୍ କହିଛନ୍ତି ଯେ ଦଲେରଙ୍କ ସହ ତାଙ୍କର ଦୀର୍ଘ ବର୍ଷର ପରିଚୟ ରହିଛି। ତାଙ୍କ ଜାଣିବା ଅନୁସାରେ, ଦଲେର ମଦ୍ୟପାନ କରନ୍ତି ନାହିଁ ଏବଂ ଗତ କିଛି ବର୍ଷ ହେଲା ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ। ପ୍ରଦର୍ଶନକୁ ନେଇ ଅସନ୍ତୋଷ ଥିଲେ ମଧ୍ୟ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ପରିବର୍ତ୍ତେ ଅଲଗା ଭାବେ କଥା ହୋଇପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି। ଦଲେରଙ୍କ ସାନ ଭାଇ ତଥା ଗାୟକ ମିକା ସିଂହ ତାଙ୍କ ସମର୍ଥନରେ ଭିଡିଓ ଜାରି କରିଥିଲେ। ମିକା କହିଥିଲେ ଯେ ତାଙ୍କ ଭାଇଙ୍କ ବିଷୟରେ ନିଶା ସେବନ ଅଭିଯୋଗ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ। ତାଙ୍କ ମତରେ, ଦଲେରଙ୍କ ସ୍ୱାସ୍ଥ୍ୟ ଗତ କିଛି ସମୟ ଧରି ଭଲ ନାହିଁ ଏବଂ ସେ ଏବେ ମଧ୍ୟ ସୁସ୍ଥ ହେବା ପ୍ରକ୍ରିୟାରେ ଅଛନ୍ତି। ଅଭିନେତା ରାଜପାଲ ଯାଦବ ମନ୍ତ୍ରୀଙ୍କ ଆଚରଣକୁ ସମାଲୋଚନା କରିଥିଲେ। ତାଙ୍କ ମତରେ, ଦଶନ୍ଧି ଧରି ଲୋକଙ୍କୁ ମନୋରଞ୍ଜନ କରିଆସୁଥିବା ଜଣେ ବରିଷ୍ଠ କଳାକାରଙ୍କ ସହ ସମ୍ମାନଜନକ ବ୍ୟବହାର କରିବା ଉଚିତ। ସେ ଦଲେରଙ୍କ ସ୍ୱାସ୍ଥ୍ୟ ସମସ୍ୟା କଥା ମଧ୍ୟ ଉଲ୍ଲେଖ କରିଥିଲେ।
ଅନ୍ୟ କେଉଁ କଳାକାର ଦଲେରଙ୍କୁ ସମର୍ଥନ କରିଛନ୍ତି?
ବାଦଶାହ: ଦଲେରଙ୍କୁ ଜଣେ କିମ୍ୱଦନ୍ତୀ କଳାକାର ବୋଲି ଅଭିହିତ କରି ସାର୍ବଜନୀନ ଭାବେ ତାଙ୍କୁ ଅପମାନିତ କରିବାକୁ ବିରୋଧ କରିଥିଲେ।
କପିଲ ଶର୍ମା: ଦଲେରଙ୍କ ସ୍ୱାସ୍ଥ୍ୟ ଓ ନିକଟରେ ହୋଇଥିବା ଗୁରୁତର ଅସ୍ତ୍ରୋପଚାର ବିଷୟରେ ଉଲ୍ଲେଖ କରି ତାଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅନୁରୋଧ କରିଥିଲେ।
ଶାନ ଓ ପଲାଶ ସେନ: ବରିଷ୍ଠ କଳାକାରଙ୍କ ପ୍ରତି ସମ୍ମାନ ଏବଂ ତାଙ୍କ ସ୍ଥିତିକୁ ବୁଝିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ମନ୍ତ୍ରୀ ସୁବୋଧ ଉନିୟାଲଙ୍କ ଯୁକ୍ତି କ'ଣ?
ମନ୍ତ୍ରୀ ସୁବୋଧ ଉନିୟାଲ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ ଦଲେର ମେହେନ୍ଦି ଜଣେ ବଡ଼ ଗାୟକ ହୋଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମକୁ ଡକାଯାଇଥିଲା। କିନ୍ତୁ ଦର୍ଶକ ଲାଇଭ୍ ଗୀତ ଶୁଣିବାକୁ ଆସିଥିବାବେଳେ ପ୍ରଦର୍ଶନ ଆଶା ଅନୁସାରେ ହେଉନଥିବାରୁ ସେ ହସ୍ତକ୍ଷେପ କରିଥିବା ତାଙ୍କ ଦାବି। ମନ୍ତ୍ରୀଙ୍କ କହିବା ଅନୁସାରେ, ଏହି କାର୍ଯ୍ୟକ୍ରମ ପାଇଁ ଦଲେର ମେହେନ୍ଦିଙ୍କୁ ୩୫ ଲକ୍ଷ ଟଙ୍କା ଦିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ପୂର୍ବରୁ ଜଣାଇବା ଉଚିତ ଥିଲା ବୋଲି ମଧ୍ୟ ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଦଲେରଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା। ତାଙ୍କ ମତରେ, ଜଣେ ବଡ଼ କଳାକାର ନିଜ ନାମ ଓ ଖ୍ୟାତି ଅନୁସାରେ ପ୍ରଦର୍ଶନ କରିବା ଦରକାର।
ସୋନା ମହାପାତ୍ରଙ୍କ ମତ କାହିଁକି ଭିନ୍ନ?
ଗାୟିକା ସୋନା ମହାପାତ୍ର ଏହି ବିବାଦରେ ଏକ ଭିନ୍ନ ଦିଗ ଉଠାଇଛନ୍ତି। ତାଙ୍କ ମତରେ, ଜଣେ ବରିଷ୍ଠ କଳାକାରଙ୍କ ଦୀର୍ଘ ବର୍ଷର ଅବଦାନକୁ ସମ୍ମାନ ଦେବା ଉଚିତ, କିନ୍ତୁ ଦର୍ଶକଙ୍କ ପ୍ରତି ମଧ୍ୟ କଳାକାରଙ୍କ ଦାୟିତ୍ୱ ରହିଛି। ଅର୍ଥାତ୍, କଳାକାରଙ୍କ ପ୍ରତି ସହାନୁଭୂତି ରହିବା ଆବଶ୍ୟକ; ହେଲେ ତାଙ୍କ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ପ୍ରଶ୍ନକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ।
