ବିପର୍ଯ୍ୟୟ ପରିଚାଳନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ୍ ଡ୍ରିଲ୍
କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମୂଳବସନ୍ତସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ ସ୍ତରୀୟ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।
ମାହାଙ୍ଗା : ବିପର୍ଯ୍ୟୟ ପରିଚାଳନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ୍ ଡ୍ରିଲ୍ । କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ମୂଳବସନ୍ତସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ ସ୍ତରୀୟ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ବ୍ଲକ୍ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣା ସମିତିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଗାମୀ ଦିନରେ ବାତ୍ୟା କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇପାରିବ, ସେନେଇ ସମିତିର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ମାହାଙ୍ଗା ଅଗ୍ନିଶମ ବିଭାଗ ପକ୍ଷରୁ ଏହି ମକ୍ ଡ୍ରିଲ୍ ପରିଚାଳନା କରାଯାଇଥିଲା। ବିଶେଷ କରି ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମହିଳା, ପାରାଲିସିସ୍ ରୋଗୀ ଓ ବୟସ୍କ ଲୋକଙ୍କୁ ଜରୁରୀ ସମୟରେ କିପରି ଉଦ୍ଧାର କରାଯିବ, ସେନେଇ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଆଶ୍ରୟସ୍ଥଳୀରେ ଉପଲବ୍ଧ ବିଭିନ୍ନ ଜରୁରୀ ଉପକରଣ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ମାହାଙ୍ଗା ବ୍ଲକ୍ର ଏକମାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରାଂଶ ଉପଲବ୍ଧ ଥିବା ଅଗ୍ନିଶମ ଅଧିକାରୀ ନିର୍ମଳ ସାହୁ ସୂଚନା ଦେଇଥିଲେ। ସେହିପରି ମାହାଙ୍ଗା ବିଡିଓ ତିଳୋତ୍ତମା ପୃଷ୍ଟି କହିଥିଲେ ଯେ, ଏହି ଆଶ୍ରୟସ୍ଥଳୀରେ ଦୁଇ ହଜାରରୁ ଅଧିକ ଲୋକ ଏକକାଳୀନ ଭାବେ ଆଶ୍ରୟ ନେଇପାରିବେ।
