ଲେସ୍ ଟେଣ୍ଡର ପ୍ରଥାକୁ ବ୍ରହ୍ମପୁର ଠିକାସଂଘର ବିରୋଧ
ସରକାରୀ ନୂଆ ନିୟମରେ କ୍ଷତି ସହୁଛନ୍ତି ଠିକାଦାର। ଲେସ୍ ଟେଣ୍ଡର ନିୟମ ଯୋଗୁଁ କାର୍ଯ୍ୟର ଗୁଣବତ୍ତା ପାଉଛି ହ୍ରାସ। ଲେସ୍ ଟେଣ୍ଡର ପ୍ରଥାକୁ ନେଇ ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଠିକାସଂଘର ବିରୋଧ।
ଓଡିଶା ସରକାରଙ୍କ ନୂତନ ଟେଣ୍ଡର ନିୟମରେ କ୍ଷତି ସହୁଛନ୍ତି ଠିକାଦାର । ଅତ୍ୟଧିକ ଅତିରିକ୍ତ କାର୍ଯ୍ୟଦକ୍ଷତା ସୁରକ୍ଷା (APS) ଏବଂ ପୁରୁଣା ସିଡ୍ୟୁଲ୍ ରେଟ୍ (SOR) ଯୋଗୁଁ ଠିକାଦାରମାନେ ଆର୍ଥିକ କ୍ଷତି ସହୁଛନ୍ତି । ଏହି ନୂତନ ନୀତି ବିରୋଧରେ ସ୍ଥାନୀୟ ଠିକାଦାର ସଂଘମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ ଏବଂ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଅନ୍ୟପଟେ ଲେସ୍ ଟେଣ୍ଡର ପ୍ରଥାକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ମହାନଗର ଠିକାଦାର ସଂଘ ଡ଼ାକରାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ବହୁ ଠିକାଦାର । ଲେସ୍ ଟେଣ୍ଡର ବ୍ୟବସ୍ଥା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସଂଘ ପକ୍ଷରୁ ସମସ୍ତ ଠିକାଦାରଙ୍କୁ ଲେସ୍ ଟେଣ୍ଡର ନ ପକାଇବା ପାଇଁ ଅନୁରୋଧ କରାଯାଇଥିଲା । ଅତ୍ୟଧିକ କମ୍ ଦରରେ ଟେଣ୍ଡର ପକାଇବା ଦ୍ୱାରା କାର୍ଯ୍ୟର ଗୁଣବତ୍ତା ହ୍ରାସ ପାଉଥିବା ବେଳେ ଠିକାଦାରମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏନେଇ ସଂଘର ସଦସ୍ୟମାନେ ଏକଜୁଟ ହୋଇ ନ୍ୟାୟସଙ୍ଗତ ଓ ସ୍ୱଚ୍ଛ ଟେଣ୍ଡର ବ୍ୟବସ୍ଥା ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ସଭାରେ ଉପସ୍ଥିତ ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଲେସ୍ ଟେଣ୍ଡର ପ୍ରଥାକୁ ବିରୋଧ କରିବା ସହ ସରକାର ଓ ପ୍ରଶାସନଙ୍କୁ ଏହି ବ୍ୟବସ୍ଥା ଉପରେ ପୁନଃବିଚାର କରିବାକୁ ଦାବି କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଠିକାଦାର ସଂଘକୁ ଏକଜୁଟ କରି ଏହି ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମତ ରଖିଛନ୍ତି ସଂଘର କର୍ମକର୍ତ୍ତା ।
