ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ
ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକର ବନ୍ୟା ପରିସ୍ଥିତିର ସମୀକ୍ଷା, ପାଣି ଛାଡ଼ିବାର ୩ ଦିନ ମଧ୍ୟରେ କରାଯିଵ କ୍ଷୟକ୍ଷତିର ଆକଳନ, ରାଜସ୍ୱ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଥିଲେ ଉପସ୍ଥିତ ।

ଭୁବନେଶ୍ୱର, ଅଗଷ୍ଟ ୧: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଗାଁ ଏବେ ବି ପାଣି ଘେରରେ ଥିଲେ ମଧ୍ୟ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ବନ୍ୟା ପାଣି ହ୍ରାସ ପାଇବାର ସମ୍ଭାବନା ରହିଛି। ବନ୍ୟା ପାଣି ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି କୃଷି, ଘରଭଙ୍ଗା ସହ ଅନ୍ୟାନ୍ୟ କ୍ଷେତ୍ରରେ ତୁରନ୍ତ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଥିବା ବେଳେ ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସରକାରଙ୍କ କଡ଼ା ନଜର ରହିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। Zero Casualty ଲକ୍ଷ୍ୟକୁ ପ୍ରାଥମିକତା ଦେଇ ୧୭ଟି ODRAF, ୭ଟି NDRF ଓ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୭୦୦ଟି ଆଶ୍ରୟସ୍ଥଳ ଓ ରିଲିଫ କ୍ୟାମ୍ପରେ ପୀଡ଼ିତଙ୍କ ପାଇଁ ଖାଦ୍ୟ, ପିଇବା ପାଣି, ରହିବା ଓ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି।
ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଓ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ରୋକିବା ପାଇଁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
