ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ରଥଯାତ୍ରା 2026: ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା, ବୈଠକରେ ସୁରକ୍ଷା ଓ ସମନ୍ୱୟ ଉପରେ ଅଧିକ ଗୁରୁତ୍ୱ। ଭକ୍ତଙ୍କ ସୁବିଧା ପାଇଁ ହେଲ୍ପଡେସ୍କ, ବାୟୋ-ଟଏଲେଟ୍ ଓ ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା।

ଭୁବନେଶ୍ୱର: ପବିତ୍ର ରଥଯାତ୍ରାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରଥଯାତ୍ରାର ସମସ୍ତ ପ୍ରସ୍ତୁତି, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ନୀତିକାନ୍ତି, ଟ୍ରାଫିକ ପରିଚାଳନା ଓ ଜରୁରୀକାଳୀନ ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସହଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇ କହିଛନ୍ତି ଯେ, କୌଣସି ସ୍ତରରେ ଯୋଗାଯୋଗର ଅଭାବ ରହିବା ଉଚିତ ନୁହେଁ। ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ରଥ ଓ ଭକ୍ତଙ୍କ ସୁରକ୍ଷା, କର୍ଡନ ପରିଚାଳନା, ମହିଳା ସୁରକ୍ଷା, ସନ୍ଦିଗ୍ଧ ଏବଂ ନିଶାସେବନକାରିଙ୍କ ଉପରେ ନଜର ରଖିବା ସହ, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଅଗ୍ନିଶମ ସେବା, ପାଣିପାଗ ଅନୁଯାୟୀ ପ୍ରସ୍ତୁତି ଏବଂ ଜରୁରୀକାଳୀନ ଇଭାକ୍ୟୁଏସନ୍ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଫୁଲ୍-ପ୍ରୁଫ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ବୈଠକରେ କୁହାଯାଇଛି ଯେ, ରଥଯାତ୍ରା ସୁରକ୍ଷା ପାଇଁ ୧୨ ହଜାର ପୋଲିସ ଓ CAPF ଜବାନ ମୁତୟନ କରାଯାଇଛନ୍ତି। ଏଥିସହ ୧୯ ଜଣ ବରିଷ୍ଠ IPS ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। Coast Guard ଓ Indian Navy ମଧ୍ୟ ସଜାଗ ରହିଛନ୍ତି।
ଭକ୍ତଙ୍କ ସୁବିଧା ପାଇଁ ୪୭୩ଟି CCTV କ୍ୟାମେରା, ୬୫ଟି ବଡ଼ LED ସ୍କ୍ରିନ୍, ୧୬ଟି ସ୍ଥାୟୀ ମୋବାଇଲ ଟାୱାର ସହ ଅନେକ ଅସ୍ଥାୟୀ ଟାୱାର ଏବଂ ପ୍ରଥମ ଥର ପାଇଁ ବଲ୍କ ମେସେଜିଂର (Bulk Messaging) ବ୍ୟବସ୍ଥା କରାଯାଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ସୂଚନା ପ୍ରଦାନ କରାଯିବ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ହେଲ୍ପଡେସ୍କ, ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର, ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ୧୭୦୦ଟି ବାୟୋ-ଟଏଲେଟ୍, ୮ଟି ଅସ୍ଥାୟୀ ହସ୍ପିଟାଲ ଓ ବଡଦାଣ୍ଡରେ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ପୁରୀକୁ ୩୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଥିବାରୁ ରେଳ ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଉପଯୁକ୍ତ ସୂଚନା ପ୍ରଦାନ ଓ ଭିଡ଼ ପରିଚାଳନାକୁ ସୂଚାରୁ ଭାବେ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଓ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
