କକ୍ରୋଚ ଡରରେ ପ୍ରୋଗ୍ରାମ କ୍ୟାନସଲ- ସିଜେଆଇ ଥିଲେ ମୁଖ୍ୟ ଅତିଥି!
ଗୁଇନ୍ଦା ରିପୋର୍ଟ ଅନୁସାରେ, ମୁଖ୍ୟ ଅତିଥି ସିଜେଆଇଙ୍କୁ ବିରୋଧ କରିବାର ଆଶଙ୍କା ଥିଲା। ଏହା ସହ ପ୍ରଶାସନର ବି ଡର ଥିଲା, କାର୍ଯ୍ୟକ୍ରମ ବେଳେ ସିଜେପି ଆନ୍ଦୋଳନ ସହ ଜଡ଼ିତ ତତ୍ତ୍ୱ ବିକ୍ଷୋଭ ଓ ହଙ୍ଗାମା କରିପାରନ୍ତି। ଶୁକ୍ରବାର ସଂଧ୍ୟାରେ ଟିସ୍ ପ୍ରଶାସନ ମିଡିଆକୁ ଜାରି କରିଥିବା ପ୍ରେସରିଲିଜରେ କୁହାଯାଇଥିଲା, ସଂସ୍ଥା ଆକଳନ କରିଥିଲା ଯେ, ଦୀକ୍ଷାନ୍ତ ସମାରୋହ ଅନୁକୂଳ ମାହୋଲରେ ଆୟୋଜନ କରାଯାଇପାରୁନି। କାର୍ଯ୍ୟକ୍ରମ କରିଥିଲେ ଗଣମାନ୍ୟ ବ୍ୟକ୍ତି,ଅତିଥି ଓ କ୍ୟାମ୍ପସ ପ୍ରଭାବିତ ହୋଇଥାଆନ୍ତା।

କକ୍ରୋଚ ଡରରେ ଦୀକ୍ଷାନ୍ତ ସମାରୋହକୁ ରଦ୍ଦ କଲା ଟିସ୍। କାରଣ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଥିଲେ ମୁଖ୍ୟ ଅତିଥି। ଟିସ୍ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛି ଯେ, ଦୀକ୍ଷାନ୍ତ ସମାରୋହର ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ। ଯାହାକୁ ତତ୍କାଳ ଜରୁରୀ ଅଛି, ସେମାନଙ୍କୁ ପ୍ରୋଭିଜନାଲ ସାର୍ଟିଫିକେଟ ଦିଆଯିବ। ମୁମ୍ୱାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (TISS) ରେ ଅଗଷ୍ଟ ୨ରେ ୮୬ତମ ଦୀକ୍ଷାନ୍ତ ସମାରୋହ ହେବାର ଥିଲା। ଦେଶର ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏଥିରେ ମୁଖ୍ୟ ଅତିଥି ଥିଲେ। ହେଲେ ଏ କାର୍ଯ୍ୟକ୍ରମକୁ ଅଚାନକ ସ୍ଥଗିତ କରିଦିଆଯାଇଛି। ସମାରୋହର ଠିକ୍ ଦୁଇ ଦିନ ପୂର୍ବରୁ ଗୁରୁବାର ବିଳମ୍ୱିତ ରାତିରେ ଟିସ୍ ରେଜିଷ୍ଟ୍ରାର ଛାତ୍ରଙ୍କୁ ଇମେଲ୍ ପଠାଇ ଅପରିହାର୍ଯ୍ୟ ପରିସ୍ଥିତିର ଆଳ ଦେଖାଇ କାର୍ଯ୍ୟକ୍ରମକୁ ସ୍ଥଗିତ କରାଗଲା ବୋଲି ସୂଚନା ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ ବମ୍ୱେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଘୁଗେ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ ହୋଇଥାଆନ୍ତେ। ତେବେ ଅଚାନକ ସ୍ଥଗିତ କରିବା ପଛରେ କୁହାଯାଉଛି, କ୍ୟାମ୍ପସ ଭିତରେ ସୁରକ୍ଷା ଓ ଗୁଇନ୍ଦା ଇନପୁଟ ଭିତ୍ତିରେ ନିଆଯାଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ମୁଖ୍ୟ ଅତିଥି ସିଜେଆଇଙ୍କୁ ବିରୋଧ କରିବାର ଆଶଙ୍କା ଥିଲା। ଏହା ସହ ପ୍ରଶାସନର ବି ଡର ଥିଲା, କାର୍ଯ୍ୟକ୍ରମ ବେଳେ ସିଜେପି ଆନ୍ଦୋଳନ ସହ ଜଡ଼ିତ ତତ୍ତ୍ୱ ବିକ୍ଷୋଭ ଓ ହଙ୍ଗାମା କରିପାରନ୍ତି। ଶୁକ୍ରବାର ସଂଧ୍ୟାରେ ଟିସ୍ ପ୍ରଶାସନ ମିଡିଆକୁ ଜାରି କରିଥିବା ପ୍ରେସରିଲିଜରେ କୁହାଯାଇଥିଲା, ସଂସ୍ଥା ଆକଳନ କରିଥିଲା ଯେ, ଦୀକ୍ଷାନ୍ତ ସମାରୋହ ଅନୁକୂଳ ମାହୋଲରେ ଆୟୋଜନ କରାଯାଇପାରୁନି। କାର୍ଯ୍ୟକ୍ରମ କରିଥିଲେ ଗଣମାନ୍ୟ ବ୍ୟକ୍ତି,ଅତିଥି ଓ କ୍ୟାମ୍ପସ ପ୍ରଭାବିତ ହୋଇଥାଆନ୍ତା। ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିଦେଶ ଗସ୍ତ ସମୟରେ ବ୍ରିଟେନର ଲଣ୍ଡନ ସହରରେ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ବିର୍କବେକ୍, ୟୁନିଭର୍ସିଟି ଅଫ୍ ଲଣ୍ଡନରେ "କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଆନ୍ତର୍ଜାତିକ ଆଇନ" ବିଷୟରେ ଏକ ବ୍ୟାଖ୍ୟାନ ଦେଉଥିଲେ। ବ୍ୟାଖ୍ୟାନ ଶେଷରେ ପ୍ରଶ୍ନୋତ୍ତର ପର୍ବ ସମୟରେ କିଛି ଉପସ୍ଥିତ ବ୍ୟକ୍ତି ଭାରତରେ ମତ ପ୍ରକାଶର ସ୍ୱାଧୀନତା ଏବଂ CJIଙ୍କ ପୂର୍ବ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ କାର୍ଯ୍ୟକ୍ରମର ସଂଚାଳକ କହିଥିଲେ ଯେ, ଏହି ପ୍ରଶ୍ନଗୁଡ଼ିକ ବ୍ୟାଖ୍ୟାନର ବିଷୟବସ୍ତୁ ସହ ସମ୍ପର୍କିତ ନୁହେଁ। ଏହାପରେ କିଛି ସମୟ ପାଇଁ ହଟ୍ଟଗୋଳ ଓ ପ୍ରତିବାଦ ହୋଇଥିଲା। ଘଟଣାର ଭିଡିଓ ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ଲଣ୍ଡନସ୍ଥ ଭାରତୀୟ ଦୂତାବାସ ନିନ୍ଦା କରିଥିଲା। ଦୂତାବାସ କହିଥିଲା ଯେ, ଗଣତନ୍ତ୍ରରେ ମତଭେଦ ପ୍ରକାଶ କରିବାର ଅଧିକାର ଥିଲେ ମଧ୍ୟ ତାହା ଶାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଉପାୟରେ କରାଯିବା ଉଚିତ୍। ଏହି ପ୍ରତିବାଦର ପଛରେ CJIଙ୍କ କିଛି ପୂର୍ବ ବିବାଦୀୟ ମନ୍ତବ୍ୟ ଅର୍ଥାତ କକ୍ରୋଚ ମନ୍ତବ୍ୟକୁ ନେଇ ଉଠିଥିବା ଅସନ୍ତୋଷକୁ ପ୍ରମୁଖ କାରଣ ବୋଲି କୁହାଯାଉଛି। CJI ସୂର୍ଯ୍ୟକାନ୍ତଙ୍କ ଏକ ମୌଖିକ ମନ୍ତବ୍ୟକୁ ନେଇ ୨୦୨୬ ମେ' ମାସରେ ବ୍ୟାପକ ବିବାଦ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ CJI କହିଥିଲେ ଯେ, କିଛି ଲୋକ ଚାକିରି ନ ପାଇ ‘କକରୋଚ୍’ ଭଳି ବ୍ୟବହାର କରି ବିଭିନ୍ନ କ୍ଷେତ୍ରକୁ ପ୍ରବେଶ କରି ସମସ୍ତଙ୍କୁ ଆକ୍ରମଣ କରୁଛନ୍ତି। ଏହି ମନ୍ତବ୍ୟକୁ ଅନେକ ଗଣମାଧ୍ୟମରେ ବେକାର ଯୁବକଙ୍କ ପ୍ରତି ଟିପ୍ପଣୀ ଭାବେ ପ୍ରଚାର କରାଯିବା ପରେ ଦେଶବ୍ୟାପୀ ସମାଲୋଚନା ଆରମ୍ଭ ହୋଇଥିଲା। ବିବାଦ ବଢ଼ିବା ପରେ CJI ସୂର୍ଯ୍ୟ କାନ୍ତ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ତାଙ୍କ ମନ୍ତବ୍ୟ ବେକାର ଯୁବକମାନଙ୍କୁ ଲକ୍ଷ୍ୟ କରି ନଥିଲା। ବରଂ ଜାଲି କିମ୍ୱା ନକଲି ଡିଗ୍ରୀ ଆଧାରରେ ଆଇନ ପେଶା ସମେତ ବିଭିନ୍ନ ପେଶାରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କୁ ସେ ସମାଲୋଚନା କରିଥିଲେ। ସେ କହିଥିଲେ, ଭାରତର ଯୁବପିଢ଼ି ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିଛି ଏବଂ ଗଣମାଧ୍ୟମର କିଛି ଅଂଶ ତାଙ୍କ ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଛି। ତଥାପି ଏହି ମନ୍ତବ୍ୟକୁ କେନ୍ଦ୍ର କରି ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ ସଂଗଠନମାନେ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗକୁ ଆଧାର କରି ‘କକରୋଚ୍ ଜନତା ପାର୍ଟି (CJP)’ ନାମକ ଏକ ଆନ୍ଦୋଳନ ମଧ୍ୟ ଗଠନ ହୋଇଥିଲା, ଯାହା ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଓ ଯୁବକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିଛି।
