ଜନ୍ତରମନ୍ତରରେ ଗର୍ଜିଲା ସିଜେପି- ଟାର୍ଗେଟରେ ଧର୍ମ ଓ ଧର୍ମେନ୍ଦ୍ର
ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ଅନିୟମିତତା ଏବଂ ବେରୋଜଗାରି ପ୍ରସଙ୍ଗରେ ଏହି ଆନ୍ଦୋଳନ ଚାଲିଛି। ତେବେ କକ୍ରୋଚ ମାରିବା ହିଟ୍ ନେଇ ଜଣେ ବ୍ୟକ୍ତି ପ୍ରଦର୍ଶନସ୍ଥଳରେ ପହଞ୍ଚିଥିଲେ।

ଦିଲ୍ଲୀର ଜନ୍ତରମନ୍ତରରେ ଗର୍ଜିଲା କକ୍ରୋଚ ଜନତା ପାର୍ଟି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି ପାର୍ଟି। ନିଟ୍ ପେପର ଲିକ୍ ସମେତ ଅନ୍ୟାନ୍ୟ ପରୀକ୍ଷାରେ ଅନିୟମିତତାକୁ ନେଇ ପ୍ରଦର୍ଶନ କରିଛି। ଆନ୍ଦୋଳନରେ ହଜାର ହଜାର ଛାତ୍ର ଓ ଯୁବକ ସାମିଲ୍ ହୋଇଛନ୍ତି। ସିଜେପି ଫାଉଣ୍ଡର ଅଭିଜିତ ଦୀପକେଙ୍କ ନେତୃତ୍ୱରେ ଏହା ହୋଇଛି। ଅଭିଜିତ ଆଜି ସକାଳୁ ଆମେରିକାରୁ ଦିଲ୍ଲୀ ଫେରିଥିଲେ। ସେ ବିମାନବନ୍ଦରରୁ ସିଧାସଳଖ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ। ଆନ୍ଦୋଳନରେ ସାମିଲ ଅନେକ ଯୁବକ କକ୍ରୋଚ ମାସ୍କ, ଟୋପି ଏବଂ ପୋଷାକ ପିନ୍ଧିଥିଲେ। ଦିଲ୍ଲୀ ପୁଲିସ ସିଜେପିକୁ ସକାଳ ୧୦ଟାରୁ ସଂଧ୍ୟା ୫ଟା ଅର୍ଥାତ୍ ୭ ଘଣ୍ଟା ପାଇଁ ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ଲାଗି ଅନୁମତି ଦେଇଛି। ଶିକ୍ଷା ବ୍ୟବସ୍ଥା, ପରୀକ୍ଷା ଅନିୟମିତତା ଏବଂ ବେରୋଜଗାରି ପ୍ରସଙ୍ଗରେ ଏହି ଆନ୍ଦୋଳନ ଚାଲିଛି। ତେବେ କକ୍ରୋଚ ମାରିବା ହିଟ୍ ନେଇ ଜଣେ ବ୍ୟକ୍ତି ପ୍ରଦର୍ଶନସ୍ଥଳରେ ପହଞ୍ଚିଥିଲେ। ତେବେ ସିଜେପି ସମର୍ଥକଙ୍କ ସହ ତାଙ୍କର ବଚସା ହୋଇଥିଲା ଓ ପରେ ତାଙ୍କୁ ବାହାରକୁ ବାହାର କରିଦିଆଯାଇଥିଲା। ଜନ୍ତରମନ୍ତରରେ ବିରୋଧ ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଅଭିଜିତ। ସରକାର ସିଜେପିର ସୋସିଆଲ ମିଡିଆ ପୋଷ୍ଟ ହଟାଇପାରନ୍ତି, କିନ୍ତୁ ଆମକୁ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଜଣେ ମନ୍ତ୍ରୀ ମହତ୍ତ୍ୱ ରଖନ୍ତି ନା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବୋଲି ପଚାରିଛନ୍ତି ଅଭିଜିତ। ସରକାରଙ୍କୁ ଧର୍ମର ରାଜନୀତି ବନ୍ଦ କରିବାକୁ ପଡ଼ିବ। ବ୍ୟବସ୍ଥାରେ ଭୁଲ୍ ପାଇଁ ସମସ୍ତ କକ୍ରୋଚ ଆଜି ବାହାରକୁ ବାହାରିଛନ୍ତି। ଧର୍ମ ନାଁରେ ଆଉ ଛାତ୍ରଙ୍କୁ ବାଣ୍ଟିବା ବନ୍ଦ କରାଯାଉ। ସେପଟେ ମହାରାଷ୍ଟ୍ର ଛତ୍ରପତି ସମ୍ଭାଜିନଗର ସହରରେ ଥିବା ଅଭିଜିତଙ୍କ ଘରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ତାଙ୍କ ଘର ଆଗରେ ପ୍ରବଳ ଭିଡ଼ ଆଶଙ୍କାରେ ସୁରକ୍ଷା ବଢ଼ାଇଦିଆଯାଇଥିଲା।
