୨ ଦିନ ପାଇଁ ସ୍ଥଗିତ ହେଲା ଚାରଧାମ ଯାତ୍ରା
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ତାଣ୍ଡବ, ୨ ଦିନ ପାଇଁ ଚାରଧାମ ଯାତ୍ରା ସ୍ଥଗିତ କଲେ ରାଜ୍ୟ ପ୍ରଶାସନ। ଜୁଲାଇ ୨୮ ଓ ୨୯ ପାଇଁ ଉତ୍ତରାଖଣ୍ଡର ଅନେକ ଜିଲ୍ଲାକୁ IMDର ଅରେଞ୍ଜ ଆଲର୍ଟ।

ଉତ୍ତରାଖଣ୍ଡ: ଚାରିଧାମ ଯାତ୍ରାକୁ ନେଇ ଆସିଲା ଵଡ ଖଵର । ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ସଡ଼କ ଭାଙ୍ଗିଯିବା ସହ ଭୂସ୍ଖଳନ ହେବାରୁ ଚାରଧାମ ଯାତ୍ରାକୁ ଦୁଇ ଦିନ ପାଇଁ ସ୍ଥଗିତ କରିଛନ୍ତି ରାଜ୍ୟ ପ୍ରଶାସନ। ମଙ୍ଗଳବାର ଓ ବୁଧବାର ଯାତ୍ରା ବନ୍ଦ ରହିବ ବୋଲି ଗଡ଼ୱାଳ କମିଶନର ଆନନ୍ଦ ସ୍ୱରୂପ ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD) ଜୁଲାଇ ୨୮ ଓ ୨୯ ପାଇଁ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହା ସହ ଫ୍ଲାସ୍ ଫ୍ଲଡ୍, ବଜ୍ରପାତ, ଭୂସ୍ଖଳନ ଓ ରାସ୍ତା ଅବରୋଧ ନେଇ ମଧ୍ୟ ସତର୍କ କରାଯାଇଛି। ପ୍ରଶାସନ ସୂଚନା ଅନୁସାରେ ଭୂସ୍ଖଳନ ଯୋଗୁଁ ଚାରଧାମ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଗରେ ସୁଧାର ଆସିବା ପରେ ଯାତ୍ରା ପୁନରାରମ୍ଭ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

IMD ପୂର୍ବାନୁମାନ ଅନୁଯାୟୀ ଉତ୍ତରକାଶୀ, ଦେହରାଦୁନ, ଟେହରି, ରୁଦ୍ରପ୍ରୟାଗ, ଚାମୋଲି, ବାଗେଶ୍ୱର, ପିଥୋରାଗଡ଼, ନୈନିତାଲ ଓ ଉଧମ ସିଂହ ନଗର ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଆଲମୋରା, ଚମ୍ପାୱତ, ପୌରୀ ସମେତ ଏକାଧିକ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଗୁଜବରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନାକୁ ଅନୁସରଣ କରିବା ଏବଂ ଖରାପ ପାଗ ସମୟରେ ନଦୀ କିମ୍ବା ଜଳସ୍ରୋତ ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
