ପେପରଲିକ୍ ପ୍ରସଙ୍ଗ- ଥମୁନି ସଂସଦରେ ଝଡ଼!
ଏବେ ବି ସରକାର ଛାତ୍ରଙ୍କ ପଛରେ ପଡ଼ିଛନ୍ତି। ଦମନ କରିବାକୁ ଚାହୁଁଛନ୍ତି। ଶଶୀ ଥରୁର କହିଛନ୍ତି, ବ୍ୟବସ୍ଥାଗତ ତୃଟିରୁ ନୈତିକତା ନେଇ ଧର୍ମେନ୍ଦ୍ର ଇସ୍ତଫା ଦେଲେ। ହେଲେ ଏହାକୁ ସେଲିବ୍ରେସନ କରି ନିଜକୁ ହିରୋ ସଜାଇବାର ଅର୍ଥ, ସେ ଲୋକଙ୍କ ଭାବନା ସହ ନାହାନ୍ତି। ଶାସକ ଦଳ କହିଛି, କଂଗ୍ରେସ ଦେଶଦ୍ରୋହୀ। ପ୍ରତି ପ୍ରସଙ୍ଗରେ ନିଜର ରାଜନୈତିକ ରୋଟି ସେକିବାକୁ ପ୍ରୟାସ କରୁଛି।

ଚାଲିପାରୁନି ସଂସଦ। ବିରୋଧୀଙ୍କ ହଟ୍ଟଗୋଳରୁ ଅଚଳାବସ୍ଥା ଲାଗି ରହିଛି ଗୃହରେ। ପେପର ଲିକ୍ ମାମଲାରେ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ସତ୍ତ୍ୱେ ନିଜ ଜିଦରେ ଅଡ଼ିବସିଛନ୍ତି ବିରୋଧୀ ଦଳ। ପେପର ଲିକ ବିରୁଦ୍ଧରେ ଆନ୍ଦୋଳନ କରି ପୁଲିସ ମାଡ଼ ଖାଇବା, ଆନ୍ଦୋଳନକାରୀ ଛାତ୍ରଙ୍କୁ ମାମଲାରେ ଛନ୍ଦିବା ଆଦିକୁ ବିରୋଧ କରି ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ପୁଲିସର ବର୍ବରତା ନେଇ ଗୃହମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ। ସୋମବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପରୀକ୍ଷା ସୁଧାର ବିଧେୟକକୁ ଆଗତ କରିଥିଲେ। ଆଉ ଏ ବିଲ୍ ବାବଦରେ ଲୋକସଭାରେ ଆଜି ୬ ଘଣ୍ଟା ଧରି ଚର୍ଚ୍ଚାର ସମୟ ସ୍ଥିରୀକୃତ ହୋଇଛି। ବିରୋଧୀ ୯୨ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ହେଲେ ଚର୍ଚ୍ଚାକୁ ଅସ୍ୱୀକାର କରୁଛନ୍ତି। ତେବେ ହଟ୍ଟଗୋଳରୁ ବାରମ୍ୱାର ଗୃହ କାର୍ଯ୍ୟ ଠପ୍ ହେଉଥିବାରୁ ସରକାର ବି ଚେତାବନୀ ଦେଇଛନ୍ତି। ବିନା ଚର୍ଚ୍ଚା ଆଲୋଚନାରେ ବିଲ୍ ପାରିତ କରାଯିବ। ବିରୋଧୀଙ୍କ ହଙ୍ଗାମାରୁ ଆଜି ଅପରାହ୍ନ ୨ଟା ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟକୁ ମୁଲତବୀ ରଖାଯାଇଛି। ସେପଟେ ସଂସଦ ପରିସରରେ ସୋମବାର ଯେଭଳି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରାଗଲା, ତାକୁ ନେଇ ଗର୍ଜିଛନ୍ତି ପ୍ରିୟଙ୍କା ଗାନ୍ଧୀ। ସତେ ଯେମିତି ଧର୍ମେନ୍ଦ୍ର ପ୍ରଧାନ ସୁପରଷ୍ଟାର। ଏହାଠୁ ଅଧିକ ଲଜ୍ଜାଜନକ ଘଟଣା କଅଣ ହୋଇପାରେ। ମୋଦି ସରକାରଙ୍କ ଉପରେ ଭରସା କରିହେବନି। କାରଣ ଏବେ ବି ସରକାର ଛାତ୍ରଙ୍କ ପଛରେ ପଡ଼ିଛନ୍ତି। ଦମନ କରିବାକୁ ଚାହୁଁଛନ୍ତି। ଶଶୀ ଥରୁର କହିଛନ୍ତି, ବ୍ୟବସ୍ଥାଗତ ତୃଟିରୁ ନୈତିକତା ନେଇ ଧର୍ମେନ୍ଦ୍ର ଇସ୍ତଫା ଦେଲେ। ହେଲେ ଏହାକୁ ସେଲିବ୍ରେସନ କରି ନିଜକୁ ହିରୋ ସଜାଇବାର ଅର୍ଥ, ସେ ଲୋକଙ୍କ ଭାବନା ସହ ନାହାନ୍ତି। ଶାସକ ଦଳ କହିଛି, କଂଗ୍ରେସ ଦେଶଦ୍ରୋହୀ। ପ୍ରତି ପ୍ରସଙ୍ଗରେ ନିଜର ରାଜନୈତିକ ରୋଟି ସେକିବାକୁ ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ ସବୁବେଳେ ଦେଶର ହିତକଥା ଚିନ୍ତା କରନ୍ତି ଓ ସେହି ଅନୁସାରେ କାମ କରିଚାଲିଛନ୍ତି।ବିରୋଧୀଙ୍କୁ ମୁକାବିଲା ଲାଗି ଆଜି ସଂସଦ ଭବନରେ ଏନଡିଏ ସଂସଦୀୟ ଦଳର ମଙ୍ଗଳ ମିଳନ ବୈଠକ ବସିଥିଲା। ମୋଦିଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ବି ସାମିଲ୍ ହୋଇଥିଲେ। ଏହି ବୈଠକକୁ ପ୍ରଥମ ଥର ୨୦ ବିଦ୍ରୋହୀ ଟିଏମସି ସାଂସଦଙ୍କୁ ଡକାଯାଇଥିଲା। ଯେଉଁମାନେ ଏନସିପିଆଇରେ ବିଲୟ ହୋଇସାରିଛନ୍ତି। ସେମାନେ ସାମିଲ ହୋଇଥିଲେ। ବଡ଼ କଥା ହେଲା ଆଗ ସିଟରେ ବସିଥିଲେ କାକୋଳି ଘୋଷ। ଏନଡିଏ ପାଖରେ ଏବେ ପ୍ରାୟ ୩୧୮ ଲୋକସଭା ସାଂସଦ ଅଛନ୍ତି। ସବୁ ଦଳ ପେପର ଲିକ ବିରୋଧୀ ବିଲକୁ ସମର୍ଥନ କରିବା ଦରକାର। ଜେନ-ଜି ଆମ ହୃଦୟରେ ଅଛନ୍ତି ଓ ସେମାନଙ୍କ ଆନ୍ଦୋଳନ ଦେଶରେ ଗଣତନ୍ତ୍ର ଅଛି ବୋଲି ଦର୍ଶାଉଛି ବୋଲି କହିଛନ୍ତି ସାୟନି ଘୋଷ। ସେପଟେ ସୋନମ ଓ୍ୱାଙ୍ଗଚୁକ ବି କହିଥିଲେ, ଧର୍ମେନ୍ଦ୍ର ଇସ୍ତଫା ଦେବା ପରେ ଏବେ ସଂସଦରେ ଚର୍ଚ୍ଚା ଆଲୋଚନା କରି ପେପର ଲିକକୁ ରୋକିବାକୁ ଠୋସ୍ ପଦକ୍ଷେପ ନେବା ଜରୁରୀ। ପଞ୍ଜାବରେ ପେପର ଲିକକୁ ବିରୋଧ କରି ବିଜେପି ସାଂସଦ ବି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କ ଇସ୍ତଫା ଦାବି କରିଛନ୍ତି।ପେପର ଲିକକୁ ରୋକିବାକୁ କଡ଼ା ଆଇନ ଆସିବ। ଅଧିକ ସଜ୍ଜା ମିଳିବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ। ୧୦ ବର୍ଷ ଜେଲ ଦଣ୍ଡରୁ ନେଇ ୧୦ କୋଟି ଟଙ୍କା ଯାଏଁ ଜରିମାନା। ଏମିତି ତମାମ କଠୋର ବିଲକୁ ଆଇନରେ ପରିଣତ କରିବାକୁ ସରକାର ପ୍ରୟାସରତ ଥିଲାବେଳେ ବିରୋଧୀଙ୍କ କ୍ରମାଗତ ହଙ୍ଗାମା ଏଥିରେ ପ୍ରତିବନ୍ଧକ ସାଜୁଛି।
