କେପ୍ ଭର୍ଦେର ଐତିହାସିକ ସଫଳତା: ବିଶ୍ୱକପରେ ନୂଆ ଇତିହାସ
ଫିଫା ବିଶ୍ୱକପ୍ ୨୦୨୬ରେ ଛୋଟ ଦ୍ୱୀପ ରାଷ୍ଟ୍ର କେପ୍ ଭର୍ଦେ । ପ୍ରାୟ ୫.୩ରୁ ୫.୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ପ୍ରଥମଥର ପାଇଁ ବିଶ୍ୱକପ୍ରେ ଅଂଶଗ୍ରହଣ କରି ନକ୍ଆଉଟ୍ ପର୍ଯ୍ୟାୟକୁ ପହଞ୍ଚି ଇତିହାସ ରଚିଛି।

ଫିଫା ବିଶ୍ୱକପ୍ ୨୦୨୬ରେ ଛୋଟ ଦ୍ୱୀପ ରାଷ୍ଟ୍ର କେପ୍ ଭର୍ଦେ ସାରା ଫୁଟବଲ୍ ଜଗତକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ପ୍ରାୟ ୫.୩ରୁ ୫.୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ପ୍ରଥମଥର ପାଇଁ ବିଶ୍ୱକପ୍ରେ ଅଂଶଗ୍ରହଣ କରି ନକ୍ଆଉଟ୍ ପର୍ଯ୍ୟାୟକୁ ପହଞ୍ଚି ଇତିହାସ ରଚିଛି। ବିଶ୍ୱକପ୍ ନକ୍ଆଉଟ୍ରେ ପହଞ୍ଚିଥିବା ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ମଧ୍ୟ କେପ୍ ଭର୍ଦେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୦୨ରେ ସେନେଗାଲ ପରେ ବିଶ୍ୱକପ୍ରେ ନିଜର ପ୍ରଥମ ତିନୋଟି ଗ୍ରୁପ୍ ମ୍ୟାଚ୍ରେ ଅପରାଜିତ ରହିଥିବା ପ୍ରଥମ ନୂଆ ଦଳ ଭାବେ ମଧ୍ୟ କେପ୍ ଭର୍ଦେ ଇତିହାସ ଗଢ଼ିଛି। “ଛୋଟ ଦ୍ୱୀପ, ବଡ଼ ସ୍ୱପ୍ନ” ଏହି ସ୍ଲୋଗାନକୁ ସତ୍ୟ ପ୍ରମାଣ କରି କେପ୍ ଭର୍ଦେ ବିଶ୍ୱକୁ ଦେଖାଇଦେଇଛି ଯେ ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ କିଛି ବି ଅସମ୍ଭବ ନୁହେଁ। ଗ୍ରୁପ୍-ଏଚ୍ରେ କେପ୍ ଭର୍ଦେ ତିନୋଟି ମ୍ୟାଚ୍ରୁ ତିନୋଟି ଡ୍ର କରି ୩ ଅଙ୍କ ସଂଗ୍ରହ କରିଥିଲା। ପ୍ରଥମ ମ୍ୟାଚ୍ରେ ୨୦୧୦ ବିଶ୍ୱଚାମ୍ପିଅନ୍ ସ୍ପେନ୍କୁ ୦-୦ ଗୋଲରେ ଅଟକାଇଥିଲା। ପରେ ଦୁଇଥର ବିଶ୍ୱଚାମ୍ପିଅନ୍ ଉରୁଗୁଏ ବିପକ୍ଷରେ ୨-୨ ଗୋଲର ରୋମାଞ୍ଚକର ଡ୍ର କରିଥିଲା। ଶେଷ ଲିଗ୍ ମ୍ୟାଚ୍ରେ ସାଉଦି ଆରବ ସହ ୦-୦ ଡ୍ର କରି ସ୍ପେନ୍ ପରେ ଦ୍ୱିତୀୟ ସ୍ଥାନରେ ରହି ରାଉଣ୍ଡ ଅଫ୍ ୩୨ ପାଇଁ ଯୋଗ୍ୟତା ହାସଲ କରିଥିଲା। ଏହି ପରିଣାମରେ ଉରୁଗୁଏ ଓ ସାଉଦି ଆରବ ବିଶ୍ୱକପ୍ରୁ ବିଦାୟ ନେଇଥିଲେ। ଏହି ଐତିହାସିକ ସଫଳତାର ସବୁଠାରୁ ବଡ଼ ନାୟକ ଥିଲେ ୪୦ ବର୍ଷୀୟ ଗୋଲକିପର ଭୋଜିନ୍ହା। ସ୍ପେନ୍ ବିପକ୍ଷରେ ସେ ୭ଟି ଏବଂ ସାଉଦି ଆରବ ବିପକ୍ଷରେ ୩ଟି ଗୁରୁତ୍ୱପୂର୍ଣ୍ଣ ସେଭ୍ କରି ଦଳକୁ ପରାଜୟରୁ ବଞ୍ଚାଇଥିଲେ। ତାଙ୍କ ଚମତ୍କାର ପ୍ରଦର୍ଶନ ପରେ ଷ୍ଟାଡିୟମ୍ରେ ଦର୍ଶକମାନେ ତାଙ୍କ ନାମ ଧରି ଉତ୍ସବ ପାଳନ କରୁଥିଲେ। ସ୍ପେନ୍ ବିପକ୍ଷ ମ୍ୟାଚ୍ରେ ଭିସା ସମସ୍ୟା ଯୋଗୁଁ ଉପସ୍ଥିତ ରହିପାରିନଥିବା ତାଙ୍କ ମା' ସାଉଦି ଆରବ ବିପକ୍ଷ ଐତିହାସିକ ମ୍ୟାଚ୍ରେ ଷ୍ଟାଡିୟମ୍ରେ ଉପସ୍ଥିତ ରହି ପୁଅର ସଫଳତାକୁ ଦେଖିଥିଲେ। ମ୍ୟାଚ୍ ପୂର୍ବରୁ କେପ୍ ଭର୍ଦେର କୋଚ୍ ବୁବିସ୍ତା କହିଥିଲେ, “ପ୍ରତ୍ୟେକଙ୍କର ସ୍ୱପ୍ନ ଦେଖିବାର ଅଧିକାର ଅଛି, ଏବଂ କିଛି ବି ଅସମ୍ଭବ ନୁହେଁ।” ତାଙ୍କ ଦଳ ସେହି କଥାକୁ ପ୍ରମାଣ କରିଦେଇଛି। ଦେଶର ରାସ୍ତାଘାଟରେ ହଜାର ହଜାର ସମର୍ଥକ ଜାତୀୟ ପତାକା ଧରି ଏହି ସଫଳତାକୁ ଉଲ୍ଲାସର ସହ ପାଳନ କରିଥିଲେ। ସାଉଦି ଆରବ ବିପକ୍ଷ ମ୍ୟାଚ୍ରେ ଉଭୟ ଦଳ ଗୋଲ୍ କରିପାରିନଥିଲେ ମଧ୍ୟ ମୁକାବିଲା ବେଶ୍ ରୋମାଞ୍ଚକର ଥିଲା। କେପ୍ ଭର୍ଦେ ପକ୍ଷରୁ ଜାମିରୋ ମୋଣ୍ଟେଇରୋ, କେଭିନ୍ ପିନା, ନୁନୋ ଦା କୋଷ୍ଟା ଓ ଲାରୋସ୍ ଡୁଆର୍ଟେ ଗୋଲ୍ କରିବାର ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ସାଉଦି ଗୋଲରକ୍ଷକ ମହମ୍ମଦ ଅଲ୍-ଓୱାଇସ୍ ଅନେକ ଚମତ୍କାର ସେଭ୍ କରିଥିଲେ। ଶେଷ ମୁହୂର୍ତ୍ତରେ ଦା କୋଷ୍ଟାଙ୍କ ପାଖରେ ବିଜୟ ସୁଯୋଗ ଆସିଥିଲେ ମଧ୍ୟ ସେ ତାହାକୁ ଗୋଲ୍ରେ ପରିଣତ କରିପାରିନଥିଲେ। ଏବେ ରାଉଣ୍ଡ ଅଫ୍ ୩୨ରେ କେପ୍ ଭର୍ଦେର ସାମ୍ନାରେ ରହିଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଆସନ୍ତା ଜୁଲାଇ ୩ରେ ମିଆମିରେ ସେମାନେ ବର୍ତ୍ତମାନର ବିଶ୍ୱଚାମ୍ପିଅନ୍ ଆର୍ଜେଣ୍ଟିନାକୁ ଭେଟିବେ। ଲିଓନେଲ୍ ମେସିଙ୍କ ଦଳ ବିପକ୍ଷରେ ସମ୍ଭାବନା କେପ୍ ଭର୍ଦେ ବିରୋଧରେ ଥିଲେ ମଧ୍ୟ, ଏପର୍ଯ୍ୟନ୍ତର ପ୍ରଦର୍ଶନ ଫୁଟବଲ୍ ପ୍ରେମୀଙ୍କ ମନରେ ଆଉ ଏକ ବଡ଼ ଅଘଟଣର ଆଶା ସୃଷ୍ଟି କରିଛି। ଛୋଟ ଦ୍ୱୀପ ରାଷ୍ଟ୍ର କେପ୍ ଭର୍ଦେର ଏହି ଅଦ୍ଭୁତ ଅଭିଯାନ ଏବେ କେବଳ ଏକ ଫୁଟବଲ୍ କାହାଣୀ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଏକ ପ୍ରେରଣା। ଏହା ପ୍ରମାଣ କରିଛି ଯେ ବଡ଼ ନାମ କିମ୍ବା ବଡ଼ ଦେଶ ନୁହେଁ, ବରଂ ସାହସ, ଏକତା, ପରିଶ୍ରମ ଓ ଅଦମ୍ୟ ବିଶ୍ୱାସ ହିଁ ଇତିହାସ ରଚିଥାଏ।
