୧୦ ଟଙ୍କିଆ ନୋଟରେ କୋଟି କୋଟିର ଗଞ୍ଜେଇ କାରବାର, STFର ବଡ଼ ସଫଳତା ।
ଫିଲ୍ମ ଷ୍ଟାଇଲରେ ଚାଲୁଥିଲା ଆନ୍ତର୍ରାଜ୍ୟ ନିଶା ସିଣ୍ଡିକେଟ, ୧୦ ଟଙ୍କିଆ ନୋଟ ଥିଲା କୋଡ୍ । ବୌଦ୍ଧରୁ ଧରାପଡ଼ିଲେ ୪ ଅଭିଯୁକ୍ତଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟରେ ଆଗକୁ ବଢ଼ିବ ଏହି ଅଭିଯାନ- କ୍ରାଇମବ୍ରାଞ୍ଚ ଡିଜି ।
10 ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର। ଫିଲ୍ମ ଷ୍ଟାଇଲରେ ଅପରେଟ୍ ହେଉଥିଲା ଆନ୍ତର୍ରାଜ୍ୟ ନିଶା ସିଣ୍ଡିକେଟ। ଦୀର୍ଘଦିନର ଗୁଇନ୍ଦା ସୂଚନା ଓ ଟ୍ରାକିଂ ପରେ ସିଣ୍ଡିକେଟର ମୁଖ୍ୟ ଚେରକୁ ମାଡ଼ି ବସିଛି STF । ବୌଦ୍ଧ ଅଞ୍ଚଳର ୪ ଅଭିଯୁକ୍ତଙ୍କୁ ଗିରଫ ପରେ ଏହି ବଡ଼ ଆନ୍ତର୍ରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଗିରଫ ଅଭିଯୁକ୍ତମାନେ ହେଲେ ଦୁବାଶ ସାହୁ, ସୁବୁଦ୍ଧି ସାହୁ, ପ୍ରକାଶ ଖଟୁଆ ଓ ଅରୁଣ କୁମାର ରଣା। ଦୁବାଶ ଓ ସୁବୁଦ୍ଧିଙ୍କୁ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ବୋଲି STF କହିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଚାଲାଣ ସମୟରେ ପରିଚୟ ଚିହ୍ନ ଭାବେ ୧୦ ଟଙ୍କିଆ ନୋଟର ଅଧା ଅଂଶ ବ୍ୟବହାର କରାଯାଉଥିଲା। ଗଞ୍ଜେଇ ଯୋଗାଣକାରୀ ଓ କ୍ରେତାଙ୍କ ମଧ୍ୟରେ ଏହି ନୋଟ ଥିଲା ଗୁପ୍ତ ସଙ୍କେତ। ଏଭଳି ଉପାୟରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିଲା। ଅଭିଯୁକ୍ତଙ୍କ ଠାରୁ ଏକ ମାରୁତି କାର, ମୋବାଇଲ ଫୋନ, ସୁନା ଚେନ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଦୁବାଶ ଓ ସୁବୁଦ୍ଧି ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି। ୨୦୧୫ ମସିହାରେ ମଧ୍ୟ STF ହାତରେ ସେମାନେ ଧରାପଡ଼ିଥିଲେ। ଗତ ଦୁଇ ବର୍ଷ ଧରି ରାଜ୍ୟରେ ଗଞ୍ଜେଇ ବିରୋଧୀ ଅପରେସନ ଜୋରଦାର ହୋଇଥିବା ବେଳେ ଏ ବର୍ଷ ୧ ଲକ୍ଷ ୭୭ ହଜାର କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। କନ୍ଧମାଳ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳରେ ଚଢ଼ାଉ ଜାରି ରହିଛି। ସିଣ୍ଡିକେଟର କିଙ୍ଗପିନ୍କୁ ଧରିବା ପାଇଁ STF ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କଠାରୁ ମିଳୁଥିବା ସୂଚନା ଆଧାରରେ ସମଗ୍ର ଚେନ୍କୁ ଧ୍ୱଂସ କରିବାକୁ ପ୍ରୟାସ ଚାଲିଛି। ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟରେ ଏହି ଅଭିଯାନ ଆଗକୁ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି।
