Bus Accident: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍,୨୦ରୁ ଅଧିକ ଆହତ
କଟକରୁ ରାଜନଗର ଯାଉଥିବା ପ୍ରିନ୍ସ ଯାତ୍ରୀବାହୀ ବସ୍ ପଟ୍ଟାମୁଣ୍ଡାଇ କଖାରୁଣୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ବସ୍ରେ ୪୦ରୁ ୫୦ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବଡ଼ ଧରଣର ବସ୍ ଦୁର୍ଘଟଣା । କଟକରୁ ରାଜନଗର ଯାଉଥିବା ପ୍ରିନ୍ସ ନାମକ ଯାତ୍ରୀବାହୀ ବସ୍ ପଟ୍ଟାମୁଣ୍ଡାଇ କଖାରୁଣୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ବସ୍ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାରକାରୀ ଦଳ ବସ୍ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ମେଡିକାଲ ପଠାଇଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଖରାପ ରହିଛି । ରାସ୍ତାଟି ମରଣଯନ୍ତା ପାଲଟିଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ତେବେ ବସ୍ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
