Brazil Doctor Scandal:ଡ୍ୟୁଟିରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିଲେ ଡାକ୍ତର
ରୋଗୀଙ୍କ ଲମ୍ବା ଅପେକ୍ଷା ଓ ଜରୁରୀକାଳୀନ ବିଭାଗରେ ଭିଡ଼ ନେଇ ଅଭିଯୋଗ ପରେ ରାତିରେ ହସ୍ପିଟାଲରେ ପହଞ୍ଚିଲେ ମେୟର। ଯାଞ୍ଚ ସମୟରେ ଡ୍ୟୁଟିରେ ଥିବା ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ସାମ୍ନାକୁ ଆସିଲା ବିବାଦ।
ବ୍ରାଜିଲ:ଡ୍ୟୁଟି ସମୟରେ ରୋଗୀଙ୍କ ଚିକିତ୍ସା ବଦଳରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ଅଭିଯୋଗରେ ଦୁଇ ଡାକ୍ତରଙ୍କୁ ଚାକିରିରୁ ବିଦା କରିଛନ୍ତି ମେୟର। ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟର ବାରେଇରୋସ୍ ସହରରେ ଏହି ଘଟଣା ଘଟିଛି। ସହରର ମେୟର କାର୍ଲିନହୋସ୍ ଦା ପେଦ୍ରେଇରା ହସ୍ପିଟାଲ ମୁନିସିପାଲ୍ ଜେଲଟନ୍ ମେସିଆସ୍ରେ ରାତି ଅଧରେ ଅଚାନକ ଯାଞ୍ଚ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ଦୁଇ ଡ୍ୟୁଟିରତ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିଥିଲା।ସୂଚନା ଅନୁସାରେ, ହସ୍ପିଟାଲରେ ରୋଗୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ଏବଂ ଜରୁରୀକାଳୀନ ବିଭାଗରେ ଅତ୍ୟଧିକ ଭିଡ଼ ରହୁଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ। ଏହାପରେ ମେୟର ହସ୍ପିଟାଲରେ ଅଚାନକ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କର୍ମଚାରୀଙ୍କ ବିଶ୍ରାମ କକ୍ଷରେ ପହଞ୍ଚି ମେୟର ଦୁଇ ଜଣ ଡ୍ୟୁଟିରତ କର୍ମଚାରୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଥିବା ଅଭିଯୋଗ କରିଥିଲେ। ସେହି ସମୟରେ ହସ୍ପିଟାଲରେ ଅପେକ୍ଷାରତ ରୋଗୀଙ୍କ ଚିକିତ୍ସା ଦାୟିତ୍ୱ କେବଳ ଜଣେ ଡାକ୍ତର ସମ୍ଭାଳୁଥିବା ମେୟର କହିଥିଲେ। ଏହି ଘଟଣାର ଭିଡିଓ ମେୟର ରେକର୍ଡ କରିଥିଲେ, ଯାହା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଘଟଣା ପରେ ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ହସ୍ପିଟାଲ ପରିଚାଳନା କରୁଥିବା ଘରୋଇ ସଂସ୍ଥା ସହ ଚୁକ୍ତି ବାତିଲ୍ କରିବାକୁ ପୌର ପ୍ରଶାସନ ନିଷ୍ପତ୍ତି ନେଇଛି। ହସ୍ପିଟାଲର ପରିଚାଳନା ଦାୟିତ୍ୱ ଅସ୍ଥାୟୀ ଭାବେ ନିଜ ହାତକୁ ନେବାକୁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ଏହି ଘଟଣା ପରେ ହସ୍ପିଟାଲରେ ଡ୍ୟୁଟି ବ୍ୟବସ୍ଥା, ରୋଗୀ ସେବା ଓ ପରିଚାଳନାକୁ ନେଇ ଚର୍ଚ୍ଚା ଜୋର ଧରିଛି।
