Russian Woman: ରୁଷୀୟ ଯୁବତୀଙ୍କ ପ୍ରେମ କାହାଣୀ ମିଛ, ଜାଣନ୍ତୁ ପୂରା ସତ୍ୟ
ରୁଷୀୟ ଯୁବତୀଙ୍କ ସହ ପ୍ରେମ ବିବାହ ଖବର ମିଛ, ଭାଇରାଲ୍ ଭିଡିଓର ସତ୍ୟତା ଆସିଲା ସାମ୍ନାକୁ ।
ପାଟନା: ବିହାରର ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ରୁଷିଆରୁ ଯୁବତୀ ଆସିଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ଏହି ପ୍ରେମ କାହାଣୀରେ କୌଣସି ସତ୍ୟତା ନାହିଁ। ଭିଡିଓରେ ଥିବା ବିଦେଶୀ ମହିଳା ଜଣକ ରୁଷୀୟ ନୁହନ୍ତି, ବରଂ ବ୍ରିଟିଶ୍ ଏନ୍ଜିଓ ପ୍ରତିନିଧି ଆଣ୍ଡ୍ରିଆ କନୋଲି। ସେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୂର୍ଣ୍ଣିଆ ଜିଲ୍ଲା ଆସିଥିଲେ। ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଥିଲା ଯେ, ଭାଗଲପୁରର ରାହୁଲ ନାମକ ଜଣେ ଯୁବକ ରୁଷିଆରେ କାମ କରୁଥିବା ସମୟରେ ଜୁଲି ନାମକ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ଯୁବତୀ ଜଣକ ବିବାହ ପାଇଁ ବିହାର ଆସିଥିବା ଏବଂ ନଭେମ୍ବର ୨୦୨୬ରେ ବିବାହ ହେବାକୁ ଥିବା ଖବର ପ୍ରଚାର ହୋଇଥିଲା। କିନ୍ତୁ ଭିଡିଓରେ ଥିବା ଯୁବକଙ୍କ ନାମ ନମିତ। ସେ ପୂର୍ଣ୍ଣିଆର ବାସିନ୍ଦା। ଆଣ୍ଡ୍ରିଆ କନୋଲି ବ୍ରିଟିଶ୍ ସଂଗଠନ ଶିଭିଆ ସହ ଜଡ଼ିତ। ଏହା ପୂର୍ଣ୍ଣିଆର ସ୍ଥାନୀୟ ସଂସ୍ଥା ସାଥୀ ସହ ମିଶି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାମ କରୁଛି। ସାଥୀ ସଂଗଠନର ସଂଯୋଜକ ଅଭିଷେକ କୁମାର ସିଂହଙ୍କ ଅନୁସାରେ, ଅକ୍ଟୋବର ୭ ଓ ୮ ତାରିଖରେ ଛଅ ଜଣ ମହିଳାଙ୍କ ଟିମ୍ ପୂର୍ଣ୍ଣିଆ ଗସ୍ତ କରିଥିଲେ। ସ୍ଥାନୀୟ ମହିଳାମାନେ ଗୋଲାପ ଫୁଲ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ସମୟର ଫଟୋ ଓ ଭିଡିଓକୁ ପରେ ଏକ କାଳ୍ପନିକ ପ୍ରେମ କାହାଣୀ ସହ ଯୋଡ଼ି ପ୍ରଚାର କରାଯାଇଥିଲା। ମିଥ୍ୟା ଖବର ପ୍ରସାରକୁ ନେଇ ସଂଗଠନ ଆପତ୍ତି ଉଠାଇବା ସହ ଆଇନଗତ ପଦକ୍ଷେପ ନେବା ବିଷୟରେ ବିଚାର କରୁଛି। ତେବେ ଭିଡିଓଟିକୁ କିଏ ପ୍ରଥମେ ପ୍ରସାର କରିଥିଲେ ଏବଂ ଏଥିରେ ନମିତଙ୍କର କୌଣସି ଭୂମିକା ଥିଲା କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଏହା ଅଧିକ ତଦନ୍ତ ପରେ ଜଣାପଡ଼ିବ।
