ପ୍ରେମ ପାଇଁ ହତ୍ୟା: ସୋସିଆଲ ମିଡିଆ influencer ସ୍ତ୍ରୀ ଓ ପ୍ରେମିକ ଗିରଫ
Social Media Influencer ସ୍ତ୍ରୀ ଓ ପ୍ରେମିକ ମିଶି କଲେ ସ୍ୱାମୀର ହତ୍ୟା। ପାଣି ଟାଙ୍କିରୁ ମିଳିଲା ମୃତଦେହ। ପିତାଙ୍କୁ ହରାଇ ଚାରି ଶିଶୁ ବେସାହାରା। ପୂରା ଅଞ୍ଚଳରେ ଚାଞ୍ଚଲ୍ୟ।
ରାଜସ୍ଥାନ: ରାଜସ୍ଥାନର ବାଡ଼ମେର ଜିଲ୍ଲାରୁ ଆସିଛି ଅଭାବନୀୟ ଘଟଣା। ପାଣି ଟାଙ୍କି ଭିତରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ କରିଛି ବଡ ଖୁଲାସା। ପ୍ରଥମେ ଏହାକୁ ଦୁର୍ଘଟଣା କିମ୍ବା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ, ତଦନ୍ତରେ ପୂରା ଘଟଣା ଉପରୁ ପରଦା ହଟିବା ସହ ଜଣାପଡ଼ିଛି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟା। ମୃତକଙ୍କୁ ନିଜ ସେସିଆଲ ମିଡିଆ ଇନଫ୍ଲୁଏନସର ସ୍ତ୍ରୀ ଓ ପ୍ରେମିକ ମିଶି ହତ୍ୟା କରି, ମୃତ ଦେହକୁ ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ। ଯାହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଜୁନ୍ ୪ ତାରିଖ ରାଜସ୍ଥାନର ବାଡ଼ମେର ଜିଲ୍ଲାର ଗରଲ ଗାଁର ବାସିନ୍ଦା ୪୨ ବର୍ଷୀୟ ତେଜାରାମଙ୍କ ମୃତଦେହ ମାଲପୁରା ଫାଣ୍ଟା ନିକଟରେ ଥିବା ଏକ ଖେତର ପାଣି ଟାଙ୍କିରୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାରେ ମୃତକଙ୍କ ଭାଇ ମହେଶରାମ ଏହି ଘଟଣାରେ ତେଜାରାମଙ୍କ ପତ୍ନୀ ନେତଲ ଏବଂ ତାଙ୍କ ପ୍ରେମିକ ଗୁମାନସିଂହଙ୍କ ଉପରେ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ତେବେ ଘଟଣାରେ ପରିବାର ଲୋକଙ୍କୁ ପଚରାଉଚରା ସହ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ଇଣ୍ଟାଗ୍ରାମରୁ ନେତଲ ଓ ଗୁମାନସିଂହ ଦୁହେଁ ପରସ୍ପରକୁ ଜାଣିଥିଲେ। ତେବେ ଗୁମାନସିଂହ ଜଣେ ଟ୍ୟାକ୍ସି ଚାଳକ ଥିଲେ ଏବଂ ନେତଲଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ତେବେ ନେତଲ ୪ ସନ୍ତାନଙ୍କ ମାଆ ହୋଇଥିବା ସତ୍ତ୍ୱେ ଏହି ସମ୍ପର୍କ ଚାଲିଥିଲା। ଯେତେବେଳେ ତେଜାରାମ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢ଼ିଯାଇଥିଲା। ଯାହାକୁ ନେଇ ସ୍ୱାମୀକୁ ହତ୍ୟା କରିବାକୁ ପ୍ରେମିକ ସହ ମିଶି ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ। ଶେଷରେ ଅଭିଯୁକ୍ତ ପତ୍ନୀ ଏବଂ ତାଙ୍କ ପ୍ରେମିକ ପ୍ରଥମେ ତେଜାରାମଙ୍କୁ ମଦ ପିଆଇଥିଲେ। ମଦ ନିଶାରେ ତେଜାରାମ ଥିବା ବେଳେ ତାଙ୍କୁ ଭୟଙ୍କର ଭାବେ ମାଡ଼ ମଧ୍ୟ ମାରିଥିଲେ, ଫଳରେ ସେ ଗୁରୁତର ହୋଇ ଅଚେତ ହୋଇଯାଇଥିଲେ। ପରେ ଦୁହେଁ ତାଙ୍କୁ ଅଚେତ ଅବସ୍ଥାରେ କ୍ଷେତରେ ଥିବା ପାଣି ଟାଙ୍କି ଭିତରକୁ ଫିଙ୍ଗି ଦେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିବାବେଳେ, ଅଦାଲତ ନେତଲଙ୍କୁ ଜେଲକୁ ପଠାଇଥିବା ସହ ଗୁମାନ ସିଂହଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ରଖାଯାଇଛି। ଅନ୍ୟପଟେ ଏହି ହତ୍ୟା ଘଟଣାରେ ଚାରି ଶିଶୁ ତାଙ୍କ ପିତାଙ୍କୁ ହରାଇଥିବାରୁ ପୁରା ଅଞ୍ଚଳରେ ଶୋକ ଖୋଳିଯାଇଛି।
