Audit Officers in Vigilance Trap: ଭିଜିଲାନ୍ସ ଜାଲରେ ୨ ଅଡିଟର
ବାରିପଦାରେ ଓଡ଼ିଶା ଭିଜିଲାନ୍ସର ବଡ଼ ଚଢ଼ାଉ। ଏସ୍ଟି/ଏସ୍ସି ବିଭାଗର ୨ ଅଡିଟ ଅଫିସରଙ୍କୁ ଧରିଛି ଭିଜିଲାନ୍ସ। ୧୪.୩୮ ଲକ୍ଷ ଟଙ୍କା ଜବତ, ତଦନ୍ତ ଜାରି।
ବାରିପଦା: ଭିଜିଲାନ୍ସ ଜାଲରେ ୨ ଅଡିଟ ଅଫିସର । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ । ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ଓଡ଼ିଶା ସରକାରଙ୍କ ଏସ୍ଟି/ଏସ୍ସି ବିଭାଗର ୨ ଅଡିଟ ଅଫିସରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ। ଉଭୟଙ୍କ ଠାରୁ ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୦ ତାରିଖ ବିଳମ୍ବିତ ରାତିରେ ବରିପଦା DWO କାର୍ଯ୍ୟାଳୟରୁ ଅଡିଟ୍ କାମ ଶେଷ କରି ରକ୍ସି ଲେନ୍ସ୍ଥିତ ମହାପାତ୍ର ହୋଟେଲକୁ ଅଫିସ୍ ସ୍କର୍ପିଓରେ ଯାଉଥିବା ବେଳେ ଦୁଇ ଅଡିଟରଙ୍କୁ ଅଟକାଇଥିଲା ଭିଜିଲାନ୍ସ ଟିମ୍। ତଲାସୀ ବେଳେ ସେମାନଙ୍କ ଠାରୁ ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କା ୫୨ଟି ଲଫାପା ଓ ୨୦ଟି ଖୋଲା ବଣ୍ଡଲ୍ରେ ରହିଥିବା ଜଣାପଡ଼ିଛି। ଏତେ ପରିମାଣର ଟଙ୍କାର ଉତ୍ସ ସମ୍ପର୍କରେ ଦୁଇ ଅଡିଟ୍ ଅଫିସର ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହାପରେ ସେମାନେ ରହୁଥିବା ହୋଟେଲ୍ ରୁମ୍ରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇଥିଲା। ତଲାସୀ ସମୟରେ ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କାର ମଧ୍ୟ ହିସାବ ଦେଇପାରିନଥିବାରୁ ମୋଟ ୧୪,୩୮,୩୪୦ ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ଦୁଇ ଅଡିଟ୍ ଅଫିସର ଅଗଷ୍ଟ ୩୦ ତାରିଖରୁ ବରିପଦାରେ ରହି DWO କାର୍ଯ୍ୟାଳୟର ଅଡିଟ୍ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ଏସ୍ଟି/ଏସ୍ସି ବିଭାଗ ଅଧୀନ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ୍, ହାୟର ସେକେଣ୍ଡାରୀ ସ୍କୁଲ୍ ଓ SSD ହଷ୍ଟେଲ୍ଗୁଡ଼ିକର ଅଡିଟ୍ ଆରମ୍ଭ କରିଥିଲେ।
ଅଭିଯୋଗ ଅନୁଯାୟୀ, ଅଡିଟ୍କୁ ସୁଗମ କରିବା ଏବଂ ଅଡିଟ୍ ସମୟରେ କୌଣସି ଅସୁବିଧା ନକରିବା ପାଇଁ ସ୍କୁଲ୍ ଓ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ପ୍ରତି ନାମଲେଖା ଛାତ୍ର ପିଛା ୧୦ ଟଙ୍କା ହିସାବରେ ଟଙ୍କା ଦାବି କରାଯାଉଥିଲା। ସ୍କୁଲ୍ ଓ ହଷ୍ଟେଲ୍ର ମୁଖ୍ୟଶିକ୍ଷକ ଏବଂ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ବରିପଦାକୁ ଆସି ସ୍କୁଲ୍/ହଷ୍ଟେଲ୍ର ବିଭିନ୍ନ ଫାଇଲ୍ ଓ ରେଜିଷ୍ଟର ଦେଖାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏହି ଅଭିଯୋଗ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ଅଭିଯୋଗର ପ୍ରାଥମିକ ସତ୍ୟତା ନିଶ୍ଚିତ ହେବା ପରେ ଦୁଇ ଅଡିଟ୍ ଅଫିସରଙ୍କୁ ଅଟକାଇ ତଲାସୀ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପଚରାଉଚରା ଶେଷ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
