କେବେ ମରାମତି ହେବ କୁଇଲାରି ଡ୍ୟାମ ?
କେବେ ମରାମତି ହେବ କୁଇଲାରି ଡ୍ୟାମ. ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଡ୍ୟାମର ପାଣି ଚାଷ ଜମିକୁ ପହଞ୍ଚି ପାରୁନି, ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ।

ବରଗଡ଼: ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ଓ କୃଷି କ୍ଷେତ୍ରର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସେହି ଅର୍ଥର ସଠିକ୍ ବିନିଯୋଗ ହେଉନଥିବା ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକରୁ । ଭଟଲି ବ୍ଲକର ସୁଲସୁଲିଆ ଗାଁରେ ଥିବା କୁଇଲାରି ଡ୍ୟାମର ସୁରକ୍ଷା ଓ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ କେନାଲ ମରାମତି ନିମନ୍ତେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା। ଅଭିଯୋଗ ଅନୁଯାୟୀ, ପ୍ରାୟ ୩ କିଲୋମିଟର କେନାଲ ମରାମତି କାମ ପାଇଁ 2 କୋଟି 58 ଲକ୍ଷ ଅର୍ଥ ବ୍ୟୟ ହେବାକୁ ଥିବାବେଳେ ଚାରିମାସ ମଧ୍ୟରେ ଠିକାଦାର ମାତ୍ର ଶହେ ମିଟର କାମ କରିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଵେ ଡ୍ୟାମର ପାଣି ଚାଷ ଜମିକୁ ପହଞ୍ଚି ପାରୁନି, ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି, ଆଗକୁ ବର୍ଷା ଋତୁ ଥିବାରୁ କେନାଲ ଦ୍ୱାରା ଚାଷ ଜମିକୁ ସଠିକ୍ ଭାବେ ପାଣି ଯୋଗାଣ ହେବ କି ନାହିଁ, ସେନେଇ ଚିନ୍ତାରେ ଚାଷୀ। ପାଖାପାଖି ଦେଢ଼ ଶହ ଏକର ପରିମିତ କୁଇଲାରି ଡ୍ୟାମର ପାଣିରେ ପୂର୍ବରୁ ସାତ ହଜାର ଏକର ଜମିରେ ଖରିଫ ଫସଲ ହେଉଥିବା ବେଳେ ଏକ ହଜାର ଜମିରେ ରବି ଫସଲ ହେଉଥିଲା ! ମାତ୍ର ଗତ ଦଶ ବର୍ଷ ହେବ ଡ୍ୟାମର ଗେଟ୍ ଭାଙ୍ଗିବା ଯୋଗୁଁ ଡ୍ୟାମର ପାଣି ଶୁଖି ଯାଉଛି, 1981ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟନାୟକ ଏହାର ନିର୍ମାଣ କରିଥିଲେ ! ଲକ୍ଷ୍ୟ ଥିଲା ଏହି ଅଂଚଳର ଚାଷୀଙ୍କ ଜମିକୁ ଜଳ ଯୋଗାଣ, କିଛି ବର୍ଷ ଠିକ ଠାକ ଚାଲିଥିଲା ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଡ୍ୟାମର ଜଳଧାରଣ କ୍ଷମତା ହ୍ରାସ ପାଇଛି, ମରାମତି ଅଭାବରୁ କେନାଲ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିବାରୁ ପାଣି ସିଧା ନଦୀରେ ପଡୁଛି, ଯାହାଫଳରେ ରବିଫସଲ ତ ଦୂର ଖରିଫ ଫସଲ ବଞ୍ଚାଇବାକୁ ମଧ୍ୟ ଚାଷୀଙ୍କୁ ମୁସ୍କିଲ ହୋଇ ପଡ଼ିଛି, ଏନେଇ ବାରମ୍ବାର ଏମ ଆଇ ଡିଭିଜନ ଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି! ଅନ୍ୟପକ୍ଷରେ ଚାଷୀଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି ଭଟଲି ତହସିଲଦାର! ତେବେ ଚଳିତ ବର୍ଷ ନିର୍ଦ୍ଧାରିତ ବର୍ଷା ଠାରୁ କମ ବର୍ଷାର ଆକଳନ କରାଯାଉଥିବାରୁ ଚାଷୀଙ୍କ ହିତ ଦୃଷ୍ଟିରୁ ଶୀଘ୍ର କୁଇଲାରୀ ଡ୍ୟାମ ଓ କେନାଲର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।
