ବାଙ୍କିପୁରରେ ପିକେ ଆଗୁଆ..
ବିଜେପି ଯଦି ଏଥର ହାରେ, ତାହେଲେ ୩ ଦଶନ୍ଧିର ପତିଆରା ପାଣିରେ ମିଶିଯିବ।ବଡ଼ ପରିବର୍ତ୍ତନ ମୁହାଁ କି ବାଙ୍କିପୁର। ୩୧ ବର୍ଷ ପରେ ଜନତାର ମୁଡ୍ ବଦଳିଯିବ କି। ଯେଉଁ ଆସନକୁ ବିଜେପିର ସବୁଠୁ ମଝଭୁତ୍ ଗଡ଼ ବୋଲି କୁହାଯାଉଥିଲା, ସେହି ଅଭେଦ୍ୟ ଦୁର୍ଗକୁ ଭେଦିପାରିବେ କି ପିକେ।

ବଡ଼ ପରିବର୍ତ୍ତନ ମୁହାଁ କି ବାଙ୍କିପୁର। ୩୧ ବର୍ଷ ପରେ ଜନତାର ମୁଡ୍ ବଦଳିଯିବ କି। ଯେଉଁ ଆସନକୁ ବିଜେପିର ସବୁଠୁ ମଝଭୁତ୍ ଗଡ଼ ବୋଲି କୁହାଯାଉଥିଲା, ସେହି ଅଭେଦ୍ୟ ଦୁର୍ଗକୁ ଭେଦିପାରିବେ କି ପିକେ। ପଦ୍ମ ପାଖୁଡ଼ାକୁ ଛିଣ୍ଡାଇ ନିଜର ବିଜୟଧ୍ୱଜା ଉଡ଼ାଇବେ କି ପ୍ରଶାନ୍ତ କିଶୋର। ନବୀନ ବାପା ପୁଅଙ୍କ ଗଡ଼କୁ ଭାଙ୍ଗିଦେଇପାରିବେ କି। ନିର୍ବାଚନୀ ମୈଦାନରେ ପ୍ରତ୍ୟକ୍ଷ ଡେବ୍ୟୁରେ ପିକେଙ୍କ ଏହି ଜିତ୍ ଐତିହାସିକ ସାଜିବନି ତ। କାରଣ ଏହି ଆସନ ଥିଲା ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କର ଗଡ଼। ନବୀନ ରାଜ୍ୟସଭାକୁ ଗଲା ପରେ ଏହି ଆସନ ଖାଲି ପଡ଼ିଥିଲା। ଆଉ ବିଜେପି ପୁଣି ଏଥର ବି ନିଜ ଗଡ଼ ବଜାୟ ରଖିବ ବୋଲି ପ୍ରାରମ୍ଭରୁ ଆକଳନ ଚାଲିଥିଲା। ହେଲେ ଅଚାନକ ପିକେଙ୍କ ଏଣ୍ଟ୍ରି ପରେ ଏହି ଆସନରେ ରଣନୀତି ବିଗିଡ଼ିଗଲା। ୧୯୯୫ରେ ସେତେବେଳେ ଏହା ପାଟନା ପଶ୍ଚିମ ଆସନ ଥିଲା। ଏଠାରୁ ନିତିନଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ବିଜୟୀ ହୋଇଥିଲେ। ଏହା ପରେ ୨୦୦୫ ଯାଏ ନବୀନଙ୍କ ବିଜୟ ଧାରା ଜାରି ରହିଲା। ତାଙ୍କର ଅକାଳ ବିୟୋଗ ପରେ ୨୦୦୬ରେ ହୋଇଥିଲା ଏହି ଆସନରେ ଉପନିର୍ବାଚନ। ଆଉ ପୁଅ ନିତିନ ନବୀନ ସେବେଠୁ ଲଗାତାର ଏହି ଆସନରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୦ ପରଠୁ ଏହି ଆସନ ବାଙ୍କିପୁର ନାଁରେ ନାମିତ ହେବା ପରେ ନିତିନ ଲଗାତାର ୪ଥର ଜିତିଛନ୍ତି। ଆଉ ପାଟନା ପଶ୍ଚିମ ଆସନକୁ ମିଶାଇ ବିଜେପି ୯ଥର ଲଗାତାର ବିଜୟୀ ହୋଇଛି। ବାପା ନବୀନ କିଶୋର ୪ଥର ଓ ପୁଅ ନିତିନ ନବୀନ ୫ଥର ଜିତିଛନ୍ତି। ବାଙ୍କିପୁର ଆସନରେ ନବୀନ କିଶୋର ପ୍ରସାଦ ସିହ୍ନା ଓ ତାଙ୍କ ପୁଅ ନିତିନ ନବୀନଙ୍କ ପ୍ରଭାବ ରହିଆସିଛି। ଏହି କାରଣରୁ ଏହାକୁ ବିହାରରେ ବିଜେପିର ସବୁଠାରୁ ସୁରକ୍ଷିତ ବିଧାନସଭା ଆସନମାନଙ୍କ ମଧ୍ୟରୁ ଗଣାଯାଏ। ହଲେ ଏଥର ଜନତା ମତପରିବର୍ତ୍ତନ କରିନାହାନ୍ତି ତ। ବିଜେପି ବି ଆରମ୍ଭରୁ ପ୍ରାର୍ଥୀ ଚୟନକୁ ନେଇ ଅଡ଼ୁଆରେ ପଡ଼ିଥିଲା। ପ୍ରଥମେ ବିଜେପି ଅଭିଷେକ କୁମାର (ବଣ୍ଟି)ଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଦଳ ନୀରଜ କୁମାର ସିହ୍ନାଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଆରଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ ନ କରି ରେଖା ଗୁପ୍ତାଙ୍କୁ ଦୋହରାଇଥିଲା। କିନ୍ତୁ ଜନଶକ୍ତି ଜନତାଦଳର ସମୀକରଣ ସବୁ କିଛି ଓଲଟପାଲଟ କରିଦେଲା। ପ୍ରାର୍ଥୀ ବିଣା ମାନବୀଙ୍କ ପ୍ରାର୍ଥୀପତ୍ର ନାକଚ ପରେ ଜନସୁରାଜ ଦଳର ପ୍ରାର୍ଥୀ ପ୍ରଶାନ୍ତ କିଶୋରଙ୍କୁ ସିଧା ସମର୍ଥନ କରିଥିଲେ ତେଜପ୍ରତାପ। ଆଉ ୩ଟି ଏକଜିଟ ପୋଲ ବି ପୂର୍ବାନୁମାନ କରିଥିଲା, ଏଥର ବାଙ୍କିପୁରରେ ପିକେ। କାରଣ ଆଜି ରେଜଲ୍ଟ ଡେ। ଗଣତି ଆରମ୍ଭରୁ ପ୍ରଶାନ୍ତ କିଶୋର ଆଗୁଆ ଚାଲିଛନ୍ତି। ଯଦି ପିକେଙ୍କ ଏହି ଆଗୁଆ ଟ୍ରେଣ୍ଡ ଶେଷ ସମୟ ଯାଏ ଜାରି ରହିବ, ତାହେଲେ ଏହି ରେଜଲ୍ଟ ପିକେଙ୍କ ପତିଆରାକୁ ଯେତିକି ବଢ଼ାଇବ। ବିଜେପି ମଙ୍ଗୁଆଳ ନିତିନ ନବୀନଙ୍କ କ୍ରେଜ୍ ସେତିକି ମଳିନ କରିଦେବ। ବାଙ୍କିପୁର ବିଜେପିର ସବୁଠୁ ମଝଭୁତ୍ ଗଡ଼ ବୋଲି ବିବେଚନା କରାଯାଏ। ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ଆସନରେ ଜୁଲାଇ ୩୦ରେ ହୋଇଥିଲା ଭୋଟ୍। ଗଣତିରେ ନୀରଜ ଦ୍ୱିତୀୟରେ ଥିଲା ବେଳେ ରେଖା ଗୁପ୍ତା ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୫ରେ ୨୩୮ ଆସନରେ ଲଢ଼ିଥିଲା ଜନସୁରାଜ ପାର୍ଟି। ହେଲେ ଖାତା ଖୋଲିପାରିନଥିଲା। ୨୦୨୫ ସାଧାରଣ ନିର୍ବାଚନରେ ରେଖାଙ୍କୁ ୫୦ହଜାରରୁ ଅଧିକ ଭୋଟରେ ହରାଇଥିଲେ ନିତିନ। ଆରଜେଡି ଏଥର ବି ରେଖାଙ୍କୁ ପ୍ରାର୍ଥୀ କରିଥିଲା। ଆଉ ବିଜେପି ଯଦି ଏଥର ହାରେ, ତାହେଲେ ୩ ଦଶନ୍ଧିର ପତିଆରା ପାଣିରେ ମିଶିଯିବ। ଦିନ ଅଢ଼େଇଟା ବେଳ ସୁଦ୍ଧା ପ୍ରଶାନ୍ତ କିଶୋର ୩୦ହଜାର ଭୋଟ ପାଇସାରିଥିଲେ। ଆଉ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ନୀରଜ ସିହ୍ନାଙ୍କଠୁ ୯ହଜାର ଭୋଟ ବ୍ୟବଧାନରେ ଆଗୁଆ ଥିଲେ। ୧୭ ରାଉଣ୍ଡ ଗଣତି ପରେ ପିକେ ୩୩ହଜାର୫୩୮ ଭୋଟ ପାଇଥିଲା ବେଳେ ନୀରଜ ପାଇଛନ୍ତି ୨୩ହଜାର୯୫୭ ଭୋଟ୍।
