ବାଂଲାଦେଶୀ ଅନୁପ୍ରବେଶକାରୀ ସଜା ଶେଷ ପରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ
ବେଆଇନ ଭାବେ ଭାରତରେ ପ୍ରବେଶ କରି ବିଭିନ୍ନ ଅପରାଧିକ ମାମଲାରେ ସଜା ଭୋଗିଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ସଜା ସମାପ୍ତ ପରେ ନିଜ ଦେଶକୁ ଡିପୋର୍ଟ କରିଛି ବାଲେଶ୍ୱର ପୋଲିସ । ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ବାଂଲାଦେଶ ସୀମାକୁ ନିଆଯାଇ ହସ୍ତାନ୍ତର କରାଯାଇଛି।

ବାଲେଶ୍ୱର: ବାଂଲାଦେଶୀ ଅନୁପ୍ରବେଶକାରୀ ସଜା ଶେଷ ପରେ ନିଜ ଦେଶକୁ ପଠାଇଲା ବାଲେଶ୍ୱର ପୋଲିସ । ବେଆଇନ ଭାବେ ଭାରତରେ ପ୍ରବେଶ କରି ବିଭିନ୍ନ ଅପରାଧିକ ମାମଲାରେ ସଜା ଭୋଗିଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ସଜା ସମାପ୍ତ ପରେ ନିଜ ଦେଶକୁ ଡିପୋର୍ଟ କରିଛି ବାଲେଶ୍ୱର ପୋଲିସ । ସମସ୍ତ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ସମାପ୍ତ ହେବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ବାଂଲାଦେଶ ସୀମାକୁ ନିଆଯାଇ ହସ୍ତାନ୍ତର କରାଯାଇଛି। ଡିପୋର୍ଟ ହୋଇଥିବା ବ୍ୟକ୍ତି ହେଲେ ବାଂଲାଦେଶର ଫରିଦପୁର ଜିଲ୍ଲା, ଭଙ୍ଗା ଥାନା ଅନ୍ତର୍ଗତ ହାମିରଡି ଗ୍ରାମର ସ୍ୱର୍ଗତ କବିର ଖାନଙ୍କ ୩୮ ବର୍ଷୀୟ ପୁଅ ମହମ୍ମଦ ବାବୁ ଖାନ। ସେ ୨୦୦୨ ମସିହାରେ କୌଣସି ବୈଧ ପାସପୋର୍ଟ କିମ୍ବା ଭିସା ବିନା ଶ୍ରମିକ ଭାବେ କାମ କରିବା ଉଦ୍ଦେଶ୍ୟରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ଜଣାପଡ଼ିଛି। ଭାରତରେ ରହିବା ସମୟରେ ସେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୯ଟି ସଙ୍ଗୀନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲେ। ପରେ ଗିରଫ ହୋଇ ବାଲେଶ୍ୱର ଜିଲ୍ଲା କାରାଗାରରେ ଦୀର୍ଘ ସମୟ ଧରି ସଜା ଭୋଗ କରୁଥିଲେ। ଗତ ୮ ଏପ୍ରିଲ ୨୦୨୬ରେ ତାଙ୍କର ସଜା ଅବଧି ଶେଷ ହେବା ପରେ ସେ ପୋଲିସ ହେପାଜତରେ ରହିଥିଲେ। ଗତକାଲି ସମସ୍ତ ଆବଶ୍ୟକ ଦଲିଲପତ୍ର ଓ ଡିପୋର୍ଟେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆଜି ବାଲେଶ୍ୱର ପୋଲିସ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାଂଲାଦେଶକୁ ପଠାଇଛି। ପ୍ରାୟ ୧୯ ବର୍ଷ ପରେ ସେ ନିଜ ପରିବାର ସହ ମିଳିବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି। ମହମ୍ମଦ ବାବୁ ଖାନ କହିଛନ୍ତି ଯେ, କାମ ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ଭାରତକୁ ଅଣାଯାଇଥିଲା ଏବଂ ପରେ ସେ ବିଭିନ୍ନ ଘଟଣାରେ ଫସିଯାଇଥିଲେ। ବର୍ତ୍ତମାନ ନିଜ ଦେଶକୁ ଫେରୁଥିବାରୁ ସେ ଖୁସି ଅନୁଭବ କରୁଛନ୍ତି।
