Farmers Worry: ଆନ୍ଧ୍ରରେ ତାଣ୍ଡବ, ଓଡ଼ିଶାକୁ ଭୟ; ବାତ୍ୟା ବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ
ବାତ୍ୟା ଅକ୍ବନ ଆଶଙ୍କାରେ ଗଜପତି ଜିଲ୍ଲାରେ ଅରେଞ୍ଜ ଆଲର୍ଟ। ୧୯ରୁ ୨୧ ତାରିଖ ବର୍ଷା ସମ୍ଭାବନା ନେଇ ଆଗୁଆ ଧାନ ଅମଳ କରୁଛନ୍ତି ଚାଷୀ।
ଗଜପତି: ଗୋଟିଏ ପରେ ଗୋଟିଏ ବାତ୍ୟାଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ଅର୍ଣ୍ଣବ ବାତ୍ୟାର କ୍ଷୟକ୍ଷତିରୁ ମୁକୁଳି ନଥିବା ବେଳେ ପୁଣି ଏକ ବାତ୍ୟା ଅକ୍ବନକୁ ନେଇ ଗଜପତି ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବର୍ଷା ନେଇ ସୂଚନା ଜାରି ହେବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ନେଇ ସୂଚନା ମିଳିଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ଆବଶ୍ୟକ ପଡ଼ିଲେ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ପ୍ରସ୍ତୁତି ଚାଲିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ପାଣିପାଗ ବିଭାଗର ସତର୍କ ସୂଚନା ପରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷାରେ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ତରବରିଆ ଭାବେ ଦରପାଚିଲା ଧାନକୁ ମେସିନ ସାହାଯ୍ୟରେ କାଟି ଅମଳ କରୁଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଅର୍ଣ୍ଣବ ବାତ୍ୟା ଯୋଗୁଁ ଅନେକ ଚାଷ ଜମିରେ ପାଣି ମାଡ଼ିଯାଇଥିଲା। ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ଏବେ ପୁଣି ବର୍ଷାର ଆଶଙ୍କା ଥିବାରୁ ଯାହା କିଛି ଫସଲ ବଞ୍ଚିଛି, ତାହାକୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ଧାନ କାଟିବାକୁ ବାଧ୍ୟ ହେଉଛନ୍ତି। ଲଗାତାର ବାତ୍ୟାଜନିତ ବର୍ଷା ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏଭଳି ସ୍ଥିତିରେ ନୂଆ ବାତ୍ୟାର ପ୍ରଭାବ ଓଡ଼ିଶାରେ କେତେ ଭୟଙ୍କର ହେବ, ତାହାକୁ ନେଇ ଚାଷୀଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଶଙ୍କା ବଢ଼ିଛି।
