Ambulance Crisis:ଆସିକାରେ ମୃତଦେହ ପାଇଁ ମିଳିଲାନି ଆମ୍ବୁଲାନ୍ସ,
ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀର ବନ୍ୟାଜଳରେ ଭାସିଗଲେ ୨୩ ବର୍ଷୀୟ ଯୁବକ। ଉଦ୍ଧାର ପରେ ଡାକ୍ତର ମୃତ ଘୋଷଣା କଲେ। ହେଲେ ମୃତଦେହ ଘରକୁ ନେବାକୁ ମିଳିଲାନି ଆମ୍ବୁଲାନ୍ସ। ଶେଷରେ ବାଇକ୍ରେ ବୁହା ହେଲା ଶବ।
ଗଞ୍ଜାମ:ଆମ୍ବୁଲାନ୍ସ ମିଳିଲାନି, ଶେଷରେ ବାଇକ୍ରେ ବୁହା ହେଲା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ଆସିକାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ବାଇକ୍ରେ ନିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିନାୟକ ବଜାରରେ ମୃତଦେହ ରଖି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। ସୂଚନା ଅନୁସାରେ, ଆସିକା କୁମ୍ଭାର ସାହିର ୨୩ ବର୍ଷୀୟ ଯୁବକ ସଞ୍ଜୟ ବେହେରା ଗାଧୋଇବା ପାଇଁ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ଏହି ସମୟରେ ନଦୀର ପ୍ରଖର ବନ୍ୟାଜଳରେ ସେ ଭାସି ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଓଡ୍ରାଫ୍ ଟିମ୍କୁ ଯୋଗାଯୋଗ କରିଥିଲେ। ତେବେ ଟିମ୍ ପହଞ୍ଚିନଥିବା ଅଭିଯୋଗ ହୋଇଛି। ପରେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ସଞ୍ଜୟଙ୍କୁ ଉଦ୍ଧାର କରି ଆସିକା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ହେଲେ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ବାଇକ୍ରେ ଶବ ନେବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବିନାୟକ ବଜାରରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଫଳରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆମ୍ବୁଲାନ୍ସ ନମିଳିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
