ଶ୍ୟାମ ମନ୍ଦିରରେ ଦୁର୍ନିତୀ, ଦାନ ଟଙ୍କାର ହିସାବ ଦେଉନି ଟ୍ରଷ୍ଟ
ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଭଟଲି ଶ୍ୟାମ ବାବା ମନ୍ଦିର। କୋଟି କୋଟି ଟଙ୍କାର ହିସାବ ନେଇ ଉଠିଲା ପ୍ରଶ୍ନ? ଦାନ ଓ ସମ୍ପତ୍ତି ପରିଚାଳନାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ, ଏଣ୍ଡୋମେଣ୍ଟ କମିଶନରେ ପହଞ୍ଚିଲା ବିବାଦ।
ବରଗଡ଼: ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କୁଶନପୁରୀ ସ୍ଥିତ ପ୍ରସିଦ୍ଧ ଶ୍ୟାମ ବାବା ମନ୍ଦିର। କୋଟି କୋଟି ଟଙ୍କାର ହିସାବ ନେଇ ଉଠିଲା ପ୍ରଶ୍ନ? ରାଜସ୍ଥାନର ଖାଟୁ ଶ୍ୟାମଙ୍କ ପରେ ଓଡ଼ିଶାର ବରଗଡ଼ ଜିଲ୍ଲା ଭଟଲିରେ ଅବସ୍ଥିତ ଶ୍ୟାମ ବାବା ମନ୍ଦିର ବେଶ୍ ପ୍ରସିଦ୍ଧ। ଏଠାରେ ବାଲ୍ୟରୂପରେ ଶ୍ୟାମ ବାବାଙ୍କ ପୂଜା ହୋଇଥାଏ ଏବଂ ପ୍ରତିଦିନ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ତେବେ ମନ୍ଦିରକୁ ନେଇ ଏବେ ବିବାଦ ଦେଖାଦେଇଛି। ମନ୍ଦିର ନିର୍ମାତା ମାଧୋ ବାବାଙ୍କ ନାତି ଓ କୁଶନପୁରୀ ଗ୍ରାମବାସୀଙ୍କ ଅଭିଯୋଗ ଯେ, ବେଆଇନ ଭାବେ ନୂତନ ଟ୍ରଷ୍ଟ ଗଠନ କରାଯାଇ ମନ୍ଦିରର ଆର୍ଥିକ କାରବାରରେ ଅନିୟମିତତା କରାଯାଉଛି। ଏହାସହ ଧାର୍ମିକ ଅନୁଷ୍ଠାନ ଅପେକ୍ଷା ବ୍ୟବସାୟିକ କାର୍ଯ୍ୟକଳାପକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ବିବାହ ଓ ବ୍ରତ ପାଇଁ ମନ୍ଦିର ପରିସରରେ ଥିବା ଧର୍ମଶାଳା ଓ ସ୍ୱିମିଂ ପୁଲରେ ପାର୍ଟି କରାଯାଉଛି। ଯାହାଦ୍ବାରା ଭକ୍ତଙ୍କ ଧାର୍ମିକ ଭାବନା ଆଘାତ ପାଉଥିବା ନେଇ ଗ୍ରାମବାସୀ କହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର ପରିଚାଳନା କମିଟିରେ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଉନାହିଁ। ଏପରିକି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ଉପରେ ମଧ୍ୟ କଟକଣା ଲଗାଯାଉଥିବା ଅଭିଯୋଗ ହୋଇଛି। ଏହାସହ ମନ୍ଦିରକୁ ଆସୁଥିବା ଦାନ ଓ ଚାନ୍ଦାର ସ୍ୱଚ୍ଛ ହିସାବ ସାର୍ବଜନୀନ କରାଯାଉନଥିବା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ହୋଇଥିବାର ମଧ୍ୟ ଅଭିଯୋଗ ଉଠିଛି। ମନ୍ଦିର ପରିସରରେ ବେଆଇନ ଭାବେ ବାଲି ମହଜୁଦ ରଖି ବ୍ୟବସାୟ କରାଯାଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି କିଛି ଗ୍ରାମବାସୀ। ଅନ୍ଯପଟେ, ଏହି ଅଭିଯୋଗ ସମ୍ପର୍କରେ ଟ୍ରଷ୍ଟର କୌଣସି ସଦସ୍ୟ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ରାଜି ହୋଇନଥିଲେ। ଅନ୍ୟପକ୍ଷରେ ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର କହିଛନ୍ତି, ଏଣ୍ଡୋମେଣ୍ଟ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ତେଵେ ଏଣ୍ଡୋମେଣ୍ଟ ବିଭାଗ ଏହା ଉପରେ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
