ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଅଭିଯୁକ୍ତ ଗିରଫ
ଅଯୋଧ୍ୟା ରାମମନ୍ଦିରର ଦାନ ଅର୍ଥ ହେରଫେର ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରାଥମିକ ରିପୋର୍ଟ ଦାଖଲ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ମନ୍ଦିରରେ ଦାନ ଅର୍ଥ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ।

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମମନ୍ଦିରର ଦାନ ଅର୍ଥ ହେରଫେର ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତ ଗିରଫ । ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ପ୍ରାଥମିକ ରିପୋର୍ଟ ଦାଖଲ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ମନ୍ଦିରରେ ଦାନ ଅର୍ଥ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଥିଲେ। ପୋଲିସ ସୂଚନା ଅନୁସାରେ, ସମସ୍ତ ଅଭିଯୁକ୍ତ ସିସିଟିଭି କ୍ୟାମେରାରେ ଦାନ ଅର୍ଥ ଆତ୍ମସାତ୍ କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାମଶଙ୍କର ଯାଦବ ଓରଫ ଟିନୁ, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ଅବିନାଶ ଶୁକ୍ଳ, କରୁଣେଶ ପାଣ୍ଡେ, ମନୀଷ ଯାଦବ ଓ ରାମଶଙ୍କର ମିଶ୍ର। ରିପୋର୍ଟ ଅନୁସାରେ, ପ୍ରାୟ ୭ରୁ ୭.୫ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ରହିଛି। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନଙ୍କ ଅଭିଯୋଗ ଆଧାରରେ ରାମଜନ୍ମଭୂମି ଥାନାରେ ମାମଲା ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୬, ୩୧୬, ୩୧୭, ୬୧ ଓ ଅନ୍ୟାନ୍ୟ ସମ୍ପୃକ୍ତ ଧାରାରେ ଚୋରି, ଅପରାଧିକ ବିଶ୍ୱାସଘାତ, ଠକେଇ ଓ ଷଡଯନ୍ତ୍ର ସମ୍ପର୍କିତ ବିଭିନ୍ନ ଧାରାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଗୁରୁବାର ରାତିସାରା ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ କୋର୍ଟରେ ହାଜର କରାଯିବ। ତଦନ୍ତରୁ ଜଣାପଡ଼ିଛି ଯେ ରାମଶଙ୍କର ଯାଦବ ଓରଫ ଟିନୁ ଦାନ ବାକ୍ସର ଚାବି ରଖିବା ସହ ନଗଦ ଗଣନା ଅର୍ଥ ଓ ବ୍ୟାଙ୍କକୁ ପଠାଇବା ବ୍ୟବସ୍ଥାର ତଦାରଖ କରୁଥିଲେ। ସୁଭାଷ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ଅନ୍ୟ ୬ ଜଣ କ୍ୟାସିୟର ଦାନ ଅର୍ଥ ଗଣନା କାର୍ଯ୍ୟ କରୁଥିଲେ। ପୋଲିସ ସମଗ୍ର ନେଟୱର୍କର ଭୂମିକାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ଏହି ମାମଲାକୁ ପ୍ରଥମେ ସମାଜବାଦୀ ପାର୍ଟି ଉଠାଇଥିଲା। ଦଳର ମୁଖ୍ୟ ଅଖିଳେଶ ଯାଦବ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ କରି ନ୍ୟାୟିକ ତଦନ୍ତ ଦାବି କରିଥିଲେ। ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତରପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ଏସଆଇଟି ଗଠନ କରିଥିଲେ। ପରେ ମାମଲାର ତଦନ୍ତ ପାଇଁ SIT ଗଠନ କରାଯାଇଥିଲା ଏବଂ ପ୍ରାଥମିକ ରିପୋର୍ଟ ପରେ ପୋଲିସ ଏଫଆଇଆର ରୁଜୁ କରି ଗିରଫଦାରୀ କରିଛି। ତେବେ ବର୍ତ୍ତମାନର ଏଫଆଇଆରରେ ଟ୍ରଷ୍ଟର ସାଧାରଣ ସଚିବ ଚମ୍ପତ ରାୟ କିମ୍ବା ଅନ୍ୟ କୌଣସି ବରିଷ୍ଠ ଟ୍ରଷ୍ଟ ପଦାଧିକାରୀଙ୍କ ନାମ ନାହିଁ। ପୋଲିସ କହିଛି ଯେ ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ମିଳିଲେ ଅଧିକ ଲୋକଙ୍କୁ ପଚରାଉଚରା କିମ୍ବା ଗିରଫ କରାଯାଇପାରେ। ଏହି ଘଟଣାକୁ ନେଇ ରାଜନୈତିକ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ବିପକ୍ଷ ଦଳମାନେ ଏହାକୁ ଗୁରୁତର ଆର୍ଥିକ ଅନିୟମିତତା ବୋଲି ଅଭିଯୋଗ କରୁଥିବାବେଳେ ବିଜେପି ପକ୍ଷରୁ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦିଆଯାଇଛି।
